jayashree

ବାଣ ଫୁଟାଇବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମହାଭାରତ । ବାଣ ଫୁଟାଇବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ସଦର ଥାନା ବାଗଭାଡ଼ି ଗାଁରେ ଘଟିଛି ଏଭଳି ଘଟଣା । ଗାଁ ରାସ୍ତାରେ ବାଣ ଫୁଟାଉଥିଲେ କିଛି ଯୁବକ । ଏହାକୁ ବାରଣ କରିଥିଲେ ସେହି ଗାଁର ସୁଦାମ ସାହୁ ଓ ତାଙ୍କ ପୁଅ ଉଦୟ ସାହୁ । ହେଲେ ଏହାକୁ ନେଇ ଉତ୍ତେଜିତ ହୋଇପଡ଼ିଥିଲେ ଯୁବକମାନେ । ଫଳରେ ଗାଁର ପାଞ୍ଚ ଜଣ ଯୁବକ ମିଶି ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଉଭୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ପରିବାର ଲୋକେ ଉଭୟଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଛି । ଘଟଣାକୁ ନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୀପାବଳିର ଖୁସି ଭିତରେ ଏଭଳି ହିଂସାକାଣ୍ଡକୁ ନେଇ ଗାଁରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.