
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ରାତି ଅଧରେ ସରପଞ୍ଚଙ୍କ କାର୍ରେ ନିଆଁ ଲଗାଇ ଫେରାର ହୋଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ତୁଷୁରା ଥାନା ଅନ୍ତର୍ଗତ କୁଲୁତାପଡ଼ା ଗ୍ରାମରେ ଘଟିଛି । ସୂଚନା ଅନୁସାରେ, କୁଲୁତାପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଦୁଷ୍ମନ୍ତ ସାହୁ ନିଜ ଘର ନିକଟରେ ତାଙ୍କ ଭକ୍ସୱାଗନ୍ କାର୍ଟି ରଖିଥିଲେ । ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କାର୍ରେ ନିଆଁ ଲଗାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଦୁଷ୍ମନ୍ତ ସାହୁ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।