
ବରଗଡ଼, (ମୁନ୍ନା ସାହୁ) : ମା’ର କୋଳରେ ରହିବା ବଦଳରେ ଖତଗଦା ନିକଟ ବୁଦା ମୂଳରେ ପଡ଼ିଥିଲା ନବଜାତ ଶିଶୁ । ନାଭିନାଡ଼ ମଧ୍ୟ କଟାଯାଇନଥିଲା । ଏଭଳି ଅବସ୍ଥାରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯିବା ଘଟଣା ବରଗଡ଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । କିଏ ଓ କାହିଁକି ନିଷ୍ପାପ ଶିଶୁଟିକୁ ଏଭଳି ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଲା, ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନö ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ଗ୍ରାମ ତଳିପଡ଼ାରେ ଥିବା ଏକ ଖତଗଦା ନିକଟ ବୁଦା ମୂଳରୁ ଆଜି ଭୋର ପ୍ରାୟ ୫ଟା ସମୟରେ ଶିଶୁପୁତ୍ରଟିକୁ ଠାବ କରାଯାଇଥିଲା । ଶିଶୁର ନାଭିନାଡ଼ କଟାଯାଇନଥିବା ଏବଂ ଶରୀରରେ ରକ୍ତ ଲାଗିଥିବାରୁ ତାକୁ ଜନ୍ମ ହେବାର କିଛି ସମୟ ପରେ ସେଠାରେ ଛାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି । ଶିଶୁଟିକୁ ଦେଖିବା ପରେ ସ୍ଥାନୀୟ ସନ୍ତୋଷିନୀ ମହାଲିଙ୍ଗ ଓ ତାଙ୍କ ସ୍ୱାମୀ ପଞ୍ଚମ ମହାଲିଙ୍ଗ ତୁରନ୍ତ ତାକୁ ଉଦ୍ଧାର କରି ଅତାବିରାକୁ ନେଇ ଚିକିତ୍ସା କରାଇଥିଲେ । ନିଜର କୌଣସି ସନ୍ତାନ ନଥିବାରୁ ଶିଶୁଟିକୁ ନିଜ ପାଖରେ ରଖି ଲାଳନପାଳନ କରିବାକୁ ଦମ୍ପତି ଇଚ୍ଛା ପ୍ରକାଶ କରିଥିଲେ । ଏପଟେ ଖବର ପାଇ ବରଗଡ଼ ଡିସିପିଓ ମଞ୍ଜୁ ଏକ୍କାଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍ ଗାଁରେ ପହଞ୍ଚିଥିଲା । ଶିଶୁଟିକୁ ନିଜ ଅଧୀନକୁ ନେବାକୁ ଟିମ୍ ଉଦ୍ୟମ କରିଥିବାବେଳେ ଗ୍ରାମବାସୀ ଏଥିରେ ରାଜି ହୋଇନଥିଲେ । ଫଳରେ କିଛି ସମୟ ପାଇଁ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ପରେ ଭେଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ବା ସିଡବ୍ଲୁକୁ ହସ୍ତାନ୍ତର କରିଥିଲା । ତେବେ ଜନ୍ମର କିଛି ସମୟ ପରେ ଏକ ନିଷ୍ପାପ ଶିଶୁକୁ କେଉଁ ପରିସ୍ଥିତିରେ ଏଭଳି ଅସହାୟ ଅବସ୍ଥାରେ ଛାଡ଼ି ଦିଆଗଲା ? ଜନ୍ମଦାତ୍ରୀ କିଏ ? ଏହା ପଛରେ କ’ଣ କାରଣ ରହିଛି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଶିଶୁଟିର ସ୍ୱାସ୍ଥ୍ୟ, ସୁରକ୍ଷା ଓ ଉପଯୁକ୍ତ ଯତ୍ନ ନିଶ୍ଚିତ କରିବା ସହ ଘଟଣାର ପ୍ରକୃତ କାରଣ ଖୋଜିବା ଏବେ ପ୍ରଶାସନ ପାଇଁ ଆହ୍ୱାନ ପାଲଟିଛି ।