jayashree

ବେହେରେନସିଲେଟ ଗାଁରେ ଗୋଚର ଜମି ବଞ୍ଚାଅ ଆନ୍ଦୋଳନ

  • ତହସିଲଦାରଙ୍କୁ ଦାବିପତ୍ର, ମୁଖ୍ୟମନ୍ତ୍ରୀଙ୍କୁ ନକଲ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ସାମ୍ନାକୁ ଆସିଛି ଗୋଚର ଜମି ଦୁର୍ନୀତିର ବଡ ଖେଳ । କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ବେହେରେନସିଲେଟ ଗାଁର ଗରିବ ଚାଷୀଙ୍କ ମୁହଁରୁ ଭାତ ଛଡାଇ ନେବାକୁ ଏବେ ଷଡଯନ୍ତ୍ର ଚାଲିଛି । ଗାଁର ଏକମାତ୍ର ସଂରକ୍ଷିତ ଗୋଚର ଜମିକୁ ବେଆଇନ ଭାବେ ଅନ୍ୟ ଗାଁର ଲୋକଙ୍କୁ ଟେକି ଦେବାକୁ ପ୍ରଶାସନ ପ୍ରସ୍ତୁତି ଚଲାଇଛି ବୋଲି ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ନେଇ ସାରା ବେହେରେନସିଲେଟ ଗାଁ ଏବେ ଫୁଟୁଛି । ବେହେରେନସିଲେଟ ଗାଁରେ ୧୫୦୦ରୁ ଅଧିକ ଲୋକ ବାସ କରନ୍ତି । ୭୦% ପରିବାର ଚାଷ ଉପରେ ନିର୍ଭର କରନ୍ତି । ପ୍ରାୟ ପ୍ରତି ଘରେ ୨ରୁ ୩ଟି ଗାଈ ଅଛି । ଗାଁର ନାଏକ ପଡାରେ ଥିବା ସଂରକ୍ଷିତ ଗୋଚର ଜମି ହିଁ ସେମାନଙ୍କର ଏକମାତ୍ର ସାହାରା । ସକାଳୁ ଗାଈ ଛାଡିବାଠୁ ସନ୍ଧ୍ୟା ଯାଏଁ ଏହି ଜମିରେ ଗୋରୁ ଚରନ୍ତି । କେବଳ ଗାଈ ନୁହେଁ, ଏହି ଜମି ଗାଁର ସାମାଜିକ କେନ୍ଦ୍ର । ଏଠାରେ ଯୁବକଙ୍କ ପାଇଁ ଏକ ସୁନ୍ଦର ଖେଳ ପଡିଆ ତିଆରି ହୋଇଛି । ସନ୍ଧ୍ୟା ହେଲେ ଶହ ଶହ ଯୁବକ ସେଠାରେ କ୍ରିକେଟ, ଫୁଟବଲ ଖେଳି ଗାଁର ନାଁ ରଖୁଛନ୍ତି । ଏହା ସହ ଗାଁର ସାମୁହିକ ମଶାଣି ମଧ୍ୟ ଏହି ଜମି ନିକଟରେ । ପୂର୍ବ ପୁରୁଷରୁ ଏହି ଜମିକୁ ଗାଁ ଲୋକେ ମା’ ଭଳି ପୂଜା କରି ଆସୁଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଯେତେବେଳେ ଗାଁରେ ନିଜର ଗୋଚର ଜମି ନାହିଁ ବୋଲି ଦର୍ଶାଇ ଅନ୍ୟ ଗାଁର ଲୋକଙ୍କୁ ବେହେରେନସିଲେଟ ଜମି ଦିଆଯିବ, ଏହା କେତେ ଯୁକ୍ତିଯୁକ୍ତ ? ଗ୍ରାମବାସୀଙ୍କ ଅଭିଯୋଗ, କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ତହସିଲ ପ୍ରଶାସନ ଗୁପ୍ତରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଗାଁ ଲୋକଙ୍କୁ ଜଣାଇବା ବି ନାହିଁ । ଏହା ସିଧା ସିଧା ଓଡିଶା ଗୋଚର ଜମି ସଂରକ୍ଷଣ ଆଇନର ଉଲ୍ଲଂଘନ । ଏହି ଖବର ପ୍ରଚାର ହେବା ପରେ ମଙ୍ଗଳବାର ସକାଳୁ ବେହେରେନସିଲେଟର ଶତାଧିକ ପୁରୁଷ, ଯୁବକ ଏକଜୁଟ ହୋଇ କଣ୍ଟାବାଞ୍ଜି ତହସିଲ ଅଫିସ ଆଗରେ ପହଞ୍ଚିଛନ୍ତି । ହାତରେ ପ୍ଲାକାର୍ଡ ଧରି “ଆମ ଗୋଚର ଜମି ଆମର, ଛାଡିବୁନି” ନାରା ଦେଇଛନ୍ତି । ତହସିଲଦାରଙ୍କୁ ଏକ ଲିଖିତ ଦାବିପତ୍ର ଦେଇ କହିଛନ୍ତି – ଆମ ଜମିକୁ ହାତ ମାରିଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସିଧା ଚେତାବନୀ ଦେଇଛନ୍ତି । ଯଦି ଆମ ନ୍ୟାଯ୍ୟ ଦାବି ଅଣଦେଖା ହୁଏ, ଆମେ ଗଣତାନ୍ତ୍ରିକ ଭାବେ ଆଇନ ଅମାନ୍ୟ ଆନ୍ଦୋଳନ, ରାସ୍ତାରୋକ, ତହସିଲ ଘେରାଉ କରିବୁ । ଏଥିରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ କଣ୍ଟାବାଞ୍ଜି ତହସିଲଦାର ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦାୟୀ ରହିବ । ଅନ୍ୟପକ୍ଷରେ ଚାଷୀ ଓ ଗୋ-ପାଳନକୁ ନେଇ ସରକାର ବଡ ବଡ କଥା କହୁଥିବା ବେଳେ ତଳ ସ୍ତରରେ ଗୋଚର ଜମି ଲୁଟ୍ ଚାଲିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜସ୍ୱ ସଚିବ, ଆରଡିସି ସମ୍ବଲପୁର, ବଲାଙ୍ଗିର ଜିଲ୍ଲାପାଳ ଓ ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କୁ ମଧ୍ୟ ନକଲ ପଠାଯାଇଛି ।

Leave A Reply

Your email address will not be published.