
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପଞ୍ଚାୟତ ସାଧନା କେନ୍ଦ୍ରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ରହି ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ଶିବିରରେ ମୋଟ ୫୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୧ଟି ଗୋଷ୍ଠୀଗତ ଏବଂ ୪୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଏଥିମଧ୍ୟରୁ ୦୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ସହ ନିୟମାନୁଯାୟୀ ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ସମସ୍ୟାର ନେଇ ଶିବିରକୁ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ଅଭିଯୋଗ ଓ ଦାବି ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ଯାଞ୍ଚ କରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।