
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସିଧାସଳଖ ରାଜଧାନୀ ଯାତ୍ରାର ସୁଯୋଗ ପାଇଲେ କଲମପୁର ଅଞ୍ଚଳବାସୀ, ଖୁସିର ଲହରୀ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ସିଧାସଳଖ ରାଜଧାନୀ ଯାତ୍ରାର ସୁଯୋଗ ପାଇଲେ କଲମପୁର ଅଞ୍ଚଳବାସୀ । କଲମପୁର ଦେଇ ଇନ୍ଦ୍ରାବତୀରୁ ଭୁବନେଶ୍ୱରକୁ ଆରମ୍ଭ ହୋଇଛି OSRTC ବସ୍ ସେବା । ରବିବାରଠାରୁ ଏହି ବସ୍ ଚଳାଚଳ ଆରମ୍ଭ ହେବା ପରେ କଲମପୁର ଓ ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହାଦ୍ୱାରା ଏଣିକି ଅଞ୍ଚଳବାସୀ ସିଧାସଳଖ ରାଜଧାନୀ ଭୁବନେଶ୍ୱରକୁ ଯାତ୍ରା କରିପାରିବେ । ସୂଚନା ଅନୁଯାୟୀ, ପୂର୍ବରୁ କଲମପୁରରୁ ଭୁବନେଶ୍ୱରକୁ ଚଳାଚଳ କରୁଥିବା ଏକ ଘରୋଇ ବସ୍ ସେବା ବନ୍ଦ ହୋଇଯିବା ପରେ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ବିଶେଷକରି ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଯାଉଥିବା ଛାତ୍ରଛାତ୍ରୀ ଏବଂ ଉନ୍ନତ ଚିକିତ୍ସା ପାଇଁ ରାଜଧାନୀ ଉପରେ ନିର୍ଭର କରୁଥିବା ରୋଗୀ ଓ ସେମାନଙ୍କ ପରିବାର ବର୍ଗ ଯାତାୟାତ କ୍ଷେତ୍ରରେ ହଇରାଣ ହେଉଥିଲେ । ଭୁବନେଶ୍ୱର ଯିବାକୁ ହେଲେ କଲମପୁର ଅଞ୍ଚଳର ଯାତ୍ରୀମାନଙ୍କୁ ପ୍ରଥମେ ଜୁନାଗଡ଼ କିମ୍ବା ଭବାନୀପାଟଣା ଯାଇ ସେଠାରୁ ରାଜଧାନୀ ଅଭିମୁଖେ ଯାତ୍ରା କରିବାକୁ ପଡ଼ୁଥିଲା । ଏହି ସମସ୍ୟାର ସମାଧାନ ତଥା କଲମପୁରରୁ ଭୁବନେଶ୍ୱରକୁ ସିଧାସଳଖ ବସ୍ ଚଳାଚଳ ପାଇଁ ଅଞ୍ଚଳର ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଓ ସଚେତନ ନାଗରିକମାନେ ଦୀର୍ଘଦିନ ଧରି ଦାବି ଉଠାଇ ଆସୁଥିଲେ । ଶେଷରେ ସେମାନଙ୍କ ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶଂସା କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଇନ୍ଦ୍ରାବତୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା OSRTC ବସ୍ ରାତି ୯ଟା ୧୦ ମିନିଟ୍ରେ କଲମପୁର ଛାଡ଼ି ସକାଳ ୬ଟା ୩୦ ମିନିଟ୍ରେ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ଭୁବନେଶ୍ୱରରୁ ଇନ୍ଦ୍ରାବତୀ ଅଭିମୁଖେ ଯାଉଥିବା ବସ୍ ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ବାହାରି ପ୍ରାତଃ ୪ଟା ୩୦ ମିନିଟ୍ରେ କଲମପୁରରେ ପହଞ୍ଚିବ । ଏହି ବସ୍ ସେବା ଆରମ୍ଭ ହେବା ଫଳରେ କେବଳ ଯାତାୟାତ ସୁବିଧା ନୁହେଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ରାଜଧାନୀ ଯାଉଥିବା ଲୋକଙ୍କୁ ମଧ୍ୟ ବେଶ୍ ଆଶ୍ୱସ୍ତି ମିଳିବ । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ବସ୍ ସେବା ନିୟମିତ ଓ ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।