jayashree

ବଲାଙ୍ଗିର ଦିନ୍‌ରେ ଡେଙ୍ଗ ହାଇସ୍କୁଲର ମହତ୍‌ ପଦକ୍ଷେପ, ରକ୍ତଦାନ ଶିବିରରେ ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନକୁ ସ୍ମରଣୀୟ କରିବା ସହ ମାନବସେବାର ବାର୍ତ୍ତା ପ୍ରସାର ପାଇଁ ଡେଙ୍ଗ ହାଇସ୍କୁଲ ପକ୍ଷରୁ ଆୟୋଜିତ ହୋଇଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗର ଜୁନିୟର ରେଡକ୍ରସ ପକ୍ଷରୁ ବଲାଙ୍ଗିର ରକ୍ତଭଣ୍ଡାରଠାରେ ଏହି ଶିବିର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ରେଡକ୍ରସ ଶାଖା ସମ୍ପାଦିକା ସସ୍ମିତା ପ୍ରଧାନ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରିନା କୁମାରୀ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ରକ୍ତଦାତାମାନେ ମାନବସେବାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଥିଲେ । ରକ୍ତଦାନ ମାଧ୍ୟମରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ ବୋଲି ଏହି ଅବସରରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ, ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ଏବଂ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ସମେତ ବହୁ କର୍ମକର୍ତ୍ତା ଓ ସହଯୋଗୀ ସାମିଲ ହୋଇଥିଲେ ।ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.