jayashree

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବନ୍ୟାବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମଣିଷଙ୍କ ଧନଜୀବନଠାରୁ ଆରମ୍ଭ କରି ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବାକୁ ଜିଲ୍ଲା ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେଇଛି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଓସ୍ୱାନ୍ ହଲ୍‌ରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପାଣିପାଗ ବିଭାଗର ବର୍ତ୍ତମାନର ଆକଳନ ଅନୁଯାୟୀ, ଆସନ୍ତା ୨୬ ତାରିଖ ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇ ୨୭, ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ, ଝଡ଼ ପବନ, ଭୂସ୍ଖଳନ ଆଶଙ୍କା ଥିବା କଳିଙ୍ଗଘାଟି ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ଓ ବିଭାଗୀୟ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ଲକ୍‌ରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଆୟୋଜନ କରି ସ୍ଥାନୀୟ ପରିସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ମୁକାବିଲା ଯୋଜନା ପ୍ରସ୍ତୁତ କରିବା ସହ ତୃଣମୂଳସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲାର ଡ୍ୟାମ୍‌ଗୁଡ଼ିକର ଜଳସ୍ତର ଓ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ବର୍ଷା ସମୟରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଜଳବନ୍ଦୀ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଡ୍ରେନ୍ ଓ ଜଳ ନିଷ୍କାସନ ପଥ ସଫା କରିବା ସହ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ୧୧୦ଟି ସ୍ଥାୟୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ସହ ୧,୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଏକକାଳୀନ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଇପାରିବ । ଆବଶ୍ୟକସ୍ଥଳେ ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା, ଚିକିତ୍ସା ସେବା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଜରୁରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଓଡ୍ରାଫ୍ ଟିମ୍ ଓ ୨ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି । ସମ୍ଭାବ୍ୟ ବନ୍ୟାବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ତଟକୁ ଫେରିଆସିବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଚାଷୀ ଭାଇଭଉଣୀମାନଙ୍କୁ ମଧ୍ୟ ପାଣିପାଗ ବିଭାଗର ପରାମର୍ଶ ଅନୁଯାୟୀ ଫସଲର ସୁରକ୍ଷା, ଅମଳ ଓ ସଂରକ୍ଷଣ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ବାତ୍ୟା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଓ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଦୋକାନୀମାନେ ନିଜ ନିଜ ଦୋକାନ ସମ୍ମୁଖରେ ସାମଗ୍ରୀର ଦର ତାଲିକା ଲଗାଇବା ସହ ନିର୍ଦ୍ଧାରିତ ଦରରେ ସାମଗ୍ରୀ ବିକ୍ରି କରିବାକୁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା, ଯୋଗାଣ ଓ ଦର ଉପରେ ନଜର ରଖିବା ସହ ଅନିୟମିତତା ଦେଖାଦେଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରାଯାଇଛି । ବୈଠକରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କୁମାର କେର୍କେଟା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ । ସମ୍ଭାବ୍ୟ ବନ୍ୟାବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସ୍ତରରେ ସଜାଗ ରହିଥିବାବେଳେ ଜନସାଧାରଣଙ୍କୁ ଭୟଭୀତ ନହୋଇ ସତର୍କ ରହିବା, ପ୍ରଶାସନର ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.