jayashree

ମୁରିବାହାଲରେ ପୁଣି ଭାଲୁ ଠାବ : ଦୋକାନକୁ ପଶି କୁରକୁରେ ଖାଇଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବଣୁଆ ହାତୀପଲଙ୍କ ଆତଙ୍କ, ଅତ୍ୟାଚାର ଓ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଏବେ ଏକ ଭାଲୁର ଆତଙ୍କ ଅଞ୍ଚଳବାସୀଙ୍କ ଚିନ୍ତା ଦ୍ୱିଗୁଣ ବଢ଼ାଇଛି । ଶୁକ୍ରବାର ଦିନ ରାତି ୯ଟାରେ ଏହି ଭାଲୁଟି ଆଦର୍ଶ ବିଦ୍ୟାଳୟ ଓ ତହସିଲ ଅଫିସ ମଝିରେ ହୋଟେଲ ଦେଇଥିବା ବିକ୍ରମ କର୍ମୀଙ୍କ ଦୋକାନ ଭିତରକୁ ପଶି କୁରକୁରେ ଆଦି ଖାଇଥିବା ଦେଖିବାକୁ ମିଳିଥିଲା । ଆଖପାଖରେ ହିଁ ଭାଲୁଟି ଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଭାଲୁଟି ସେଠାରେ ହିଁ ଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋ ଓ ଭିଡ଼ିଓ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ଲୋକେ ଛାଡ଼ି ଦେବାରୁ ଭାଲୁଟି ମୁରିବାହାଲରେ ହିଁ ଅଛି ବୋଲି ଜଣାପଡ଼ିଥିଲା । ଏହା ପୂର୍ବରୁ ଭାଲୁଟି ପ୍ରଥମେ ଗୁଡିଘାଟ ପଞ୍ଚାୟତ ବିଜାମାଲ, ବାବେଜୁରୀ, ମୁରିବାହାଲ ଆଦର୍ଶ ବିଦ୍ୟାଳୟ ନିକଟ ଭାଲୁ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ବୈରାଗୀ ପଡ଼ା ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହା ପୂର୍ବରୁ କଣ୍ଟାବାଞ୍ଜି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଲୋକେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି । ତେଣୁ ଏବେ ଦେଖାଯାଉଥିବା ଭାଲୁଟି କଣ୍ଟାବାଞ୍ଜିରେ ଆକ୍ରମଣ କରିଥିବା ଭାଲୁ ନା ଅନ୍ୟ ଭାଲୁ, ତାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଜନବସତି ମଧ୍ୟକୁ ବନ୍ୟଜନ୍ତୁଙ୍କ ବାରମ୍ବାର ପ୍ରବେଶ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାତିରେ ନିଜ ଘରୁ ବାହାରିବାକୁ ନେଇ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ମୁରିବାହାଲ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କୁ ପଚାରିବାରୁ ବଣୁଆ ହାତୀପଲ ଉପରେ ନଜର ରଖିବା ସହ ଭାଲୁର ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ଭାଲୁ ଦେଖାଯିବା ପରେ ଏହାକୁ କାବୁ କରିବା ପାଇଁ ବଲାଙ୍ଗିରରୁ ରେପିଡ ରେସ୍କ୍ୟୁ ଟିମକୁ ଡକାଯାଇଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.