jayashree

ଷ୍ଟେଟ୍‌ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ବଲାଙ୍ଗିର ଶାଖାର ବୈଠକ

  • ସାମ୍ବାଦିକ ସୁରକ୍ଷା, ପେନସନ୍‌ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ବଲାଙ୍ଗିର ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସଙ୍ଘ ଜିଲା ସଭାପତି ଶରତ କୁମାର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା, ପେନସନ୍‌, ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ସହ ରାଜଧାନୀରେ ସାମ୍ବାଦିକଙ୍କ ରହଣୀ ବ୍ୟବସ୍ଥା ପାଇଁ ବଙ୍ଗଳା ନିର୍ମାଣ ଦିଗରେ ସରକାର ତତ୍ପରତା ପ୍ରକାଶ କରିବାକୁ ବୈଠକରେ ଦାବି ହୋଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଏସ୍‌.ୟୁ.ଜେର ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ବିମଳ ଚନ୍ଦ୍ର ହୋତା, ଏସ୍‌.ୟୁ.ଜେ ବଲାଙ୍ଗିର ଶାଖା ଉପସଭାପତି ରୋହନ ମହତ, କୋଷାଧ୍ୟକ୍ଷ ଶ୍ରୀମନ୍ତ ପଣ୍ଡା ମଞ୍ଚାସୀନ ହୋଇ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ଏକତା ବଜାୟ ରଖିବା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍.ୟୁ.ଜେ ଓଡ଼ିଶାର ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜୀ, ସାମ୍ବାଦିକ ସୁଧୀର କୁମାର ମିଶ୍ର, ବଳରାମ ମିଶ୍ର, ଚିତ୍ତ ରଞ୍ଜନ ମିଶ୍ର, ବାଳକୃଷ୍ଣ ଷଡ଼ଙ୍ଗୀ, ପବନ ଅଗ୍ରୱାଲ, ତୁଲସୀରାମ ଜଗତ, ଯୁଗଳ କିଶୋର ଶବର ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ତଥ୍ୟ ଓ ସତ୍ୟ ଭିତ୍ତିକ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେଇ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ସାମ୍ବାଦିକ ଅଭିଳାଷ ହୋତା, ରଶ୍ମି ରଞ୍ଜନ ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ମୋହନ ସୁନା, ସନ୍ତୋଷ ଠାକୁର, ଚିତ୍ରସେନ ବେହେରା, ସମୀର ଦାଶ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ବଲାଙ୍ଗିର ଶାଖା ସାଧାରଣ ସମ୍ପାଦକ ରଘୁନନ୍ଦନ ସିଂ ସଭା ସଂଯୋଜନା କରିଥିବା ବେଳେ ରାଧାକ୍ରିଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.