
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ପୌରପାଳିକାର ସଫେଇ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି । ସହରର ବିଭିନ୍ନ ୱାର୍ଡରେ ଅଳିଆ ଆବର୍ଜନା ଜମି ରହୁଥିବା, ନିୟମିତ ଭାବେ ଅଳିଆ ଗାଡ଼ି ଆସୁନଥିବା ଏବଂ ସଫେଇ ସମ୍ପର୍କିତ ଅଭିଯୋଗର ସମାଧାନ ହେଉ ନଥିବା ନେଇ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଏହି ସମସ୍ୟାର ସମାଧାନ ଦାବିରେ ଭଞ୍ଜସେନାର ଜିଲ୍ଲା ଛାତ୍ର ସଭାପତି ଦୀପକ କୁମାର ବେହେରା ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷଙ୍କୁ ଏହାର ନକଲ ପଠାଇଛନ୍ତି । ଅଭିଯୋଗ ଅନୁଯାୟୀ, ବାରିପଦା ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସ୍ୱାସ୍ଥ୍ୟକର ରଖିବା ପାଇଁ ସହରବାସୀ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସାମାଜିକ ସଂଗଠନ ସଚେତନ ରହିଥିବା ବେଳେ ସଫେଇ କାର୍ଯ୍ୟ ଦାୟିତ୍ୱରେ ଥିବା ସଂସ୍ଥାର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି । ସଫେଇ ପାଇଁ ଆବଶ୍ୟକ ଉପକରଣର ଅଭାବ ଏବଂ କାର୍ଯ୍ୟ ପରିଚାଳନାରେ ଅବହେଳା ଯୋଗୁଁ ସଫେଇ କର୍ମଚାରୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଗଠନ ଅଭିଯୋଗ କରିଛି । ସହରର ବିଭିନ୍ନ ୱାର୍ଡର ରାସ୍ତାକଡ଼ ଓ ଘର ସମ୍ମୁଖରେ ଅଳିଆ ଆବର୍ଜନା ଦୀର୍ଘ ସମୟ ଧରି ଜମି ରହୁଥିବାରୁ ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି । ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଏଥିସହ ବିଭିନ୍ନ ୱାର୍ଡକୁ ପ୍ରତିଦିନ ଅଳିଆ ସଂଗ୍ରହ ଗାଡ଼ି ଯାଉ ନଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷରେ, ସଫେଇ ସମ୍ପର୍କିତ ଅଭିଯୋଗ ଜଣାଇବା ପାଇଁ ବିଭିନ୍ନ ୱାର୍ଡରେ ଲଗାଯାଇଥିବା ସୂଚନା ଫଳକରେ ଉଲ୍ଲେଖ ଥିବା ଫୋନ୍ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ ଉପଯୁକ୍ତ ଉତ୍ତର ମିଳୁ ନଥିବା ଏବଂ ଅଭିଯୋଗ ଅନୁଯାୟୀ ପଦକ୍ଷେପ ନିଆଯାଉ ନଥିବା ଭଞ୍ଜସେନା ପକ୍ଷରୁ କୁହାଯାଇଛି । ଫଳରେ ଅଳିଆ ଆବର୍ଜନା ଜମି ରହିବା ସହ ସ୍ୱଚ୍ଛତା ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ସଂଗଠନ ଦର୍ଶାଇଛି । ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ଜିଲ୍ଲା ପ୍ରଶାସନ ଓ ପୌରପାଳିକା ତୁରନ୍ତ ହସ୍ତକ୍ଷେପ କରିବାକୁ ଭଞ୍ଜସେନା ଦାବି କରିଛି । ସଫେଇ କାର୍ଯ୍ୟରେ ଅବହେଳା କରୁଥିବା ସଂସ୍ଥାକୁ ଦାୟିତ୍ୱରୁ ହଟାଇବା ସହ ତାହାକୁ ବ୍ଲାକ୍ଲିଷ୍ଟ କରିବା ଏବଂ ଏହା ବଦଳରେ ଏକ ଦକ୍ଷ ଓ ଉତ୍ତରଦାୟୀ ସଫେଇ ସଂସ୍ଥାକୁ ନିୟୋଜିତ କରିବା ପାଇଁ ସଂଗଠନ ଦାବି ଜଣାଇଛି । ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ କରାନଯାଏ, ତେବେ ଭଞ୍ଜସେନା ସହରର ବିଭିନ୍ନ ୱାର୍ଡର ଜନସାଧାରଣଙ୍କୁ ସାଙ୍ଗରେ ନେଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଏବେ ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଧାରିବା ଏବଂ ଜନସାଧାରଣଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇଦେବା ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହାକୁ ନେଇ ସହରବାସୀଙ୍କ ନଜର ରହିଛି । ଉକ୍ତ ଦାବିପତ୍ର ଦୀପକ ବେହେରା, ରୁଦ୍ର ପଟ୍ଟନାୟକ, ରିତିକ ନାଥ, ଦିବ୍ୟଜ୍ୟୋତି ଦାସ, ଆନନ୍ଦ ପରିଡା, ଅର୍ଜୁନ ପରିଛା, ସଞ୍ଜବ ପଣ୍ଡା, ନରେନ୍ଦ୍ର ନାଥ ହେମ୍ବ୍ରମ, ଚୌଧୁରୀ ନାୟକ, ପୁପୁନ ସିଂ, ଗୋପାଳ ସିଂ ଆଦି ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ହସ୍ତାନ୍ତର କଲେ ।