jayashree

ଜିିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭେଟଘାଟ କାର୍ଯ୍ୟକ୍ରମ

  • ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ଅମରେନ୍ଦ୍ର
  • ଦଳକୁ ମଜବୁତ କରି ଲୋକଙ୍କ ସେବା କରିବୁ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ବର୍ତ୍ତମାନ ଏକ ପ୍ରଚଣ୍ଡ ପରିବର୍ତ୍ତନର ସ୍ୱର ଆସୁଛି । ଛାତ୍ର, ଯୁବକ ଏବେ ଜନ ବିରୋଧି ସରକାରଙ୍କ ବିରୁଦ୍ଧରେ ସ୍ୱର ତୀବ୍ର କରିଛନ୍ତି । କଂଗ୍ରେସ ଆଜି ପର୍ଯ୍ୟନ୍ତ ଏକ ପ୍ରତିକୂଳ ପରିସ୍ଥିତିରେ ଦେଶ, ରାଜ୍ୟ ଓ ଜିଲ୍ଲାରେ ଲୋକଙ୍କ ପାଇଁ କାମ କରିଆସିଛି । ବର୍ତ୍ତମାନ ଦେଶ ଯୁବଶକ୍ତି ସଚେତନ ହୋଇଯାଇଛନ୍ତି । ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ ହେଉ କିମ୍ବା ଭୋଟ ଚୋରୀ ହେଉ ଯୁବକମାନେ ବର୍ତ୍ତମାନର ସରକାରଙ୍କ ପ୍ରତି ବିମୁଖ ହେଲେଣି କଂଗ୍ରେସ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ବରିବର୍ତ୍ତନର ହାୱାରେ ଅନେକ ଲୋକ କଂଗ୍ରେସ ସହିତ ଜଡିତ ହେବେ । ଆମ ମାନଙ୍କୁ ମଧ୍ୟ ଆହୁରି ପରିଶ୍ରମ କରି ନୂଆଁ ନୂଆଁ ଛାତ୍ର, ଯୁବକ, ମହିଳାମାନଙ୍କୁ ଦଳ ସହିତ ଜୋଡିବାକୁ ହେବ । ଦଳକୁ ମଜବୁତ କରିବାକୁ ହେବ । ପୂର୍ବରୁ ଆମେ ଆମ ଅଂଚଳର ଲୋକଙ୍କ ସେବା କରି ଆସୁଛୁଁ । ତେଣୁ ଆଗକୁ କଂଗ୍ରେସ ଦଳକୁ ମଜବୁତ କରି ଅଂଚଳ ଲୋକଙ୍କ ଆହୁରି ସେବା କରିବୁ ବୋଲି ଆଜି ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏ ଅବସରରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ବଲାଙ୍ଗିର କଂଗ୍ରେସ ତରଫରୁ ଅନେକ କାର୍ଯ୍ୟକର୍ତ୍ତା, କଂଗ୍ରେସ କର୍ମୀ ଅମରେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରତି ଉତ୍ତରରେ ଅମରେନ୍ଦ୍ର ମିଶ୍ର କହିଥିଲେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସେ ତାଙ୍କ ବାପା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା କରୁଥିଲେ । ତା’ ସହ ଦଳର କର୍ମକର୍ତ୍ତା, ଶୁଭେଚ୍ଛୁ ଓ ସାଧାରଣ ଜନତାଙ୍କ ମଧ୍ୟ ଯେତେବେଳେ ଯାହା ଅସୁବିଧା ହେଲା ସେ ସବୁକୁ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ସେବା ଯୋଗାଇ ଆସୁଥିଲେ । ବର୍ତ୍ତମାନ କଂଗ୍ରେସ ଦଳ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତି କରିବା ପାଇଁ ସୁଯୋଗ ଦେଇଛି । ଏଥିପାଇଁ ସେ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ବଲାଙ୍ଗିରର ସମସ୍ତ କଂଗ୍ରେସ ପାଖରେ କୃତଜ୍ଞତା ଜଣାଉଛନ୍ତି । ଆଗାମୀ ଦିନରେ କେବଳ ବଲାଙ୍ଗିର ନୁହେଁ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବେ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି । ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ ଆଗାମୀ ଦିନ ନିର୍ବାଚନ ପାଇଁ କର୍ମୀନେତା ସମସ୍ତେ ସଜାଗ ରୁହନ୍ତୁ ବୋଲି କହିବା ସହ ବିଶେଷ କରି ଛାତ୍ର ଯୁବକ ଓ ମହିଳାମାନେ ନିଜ ଅଂଚଳରେ ଦଳୀୟ କାର୍ଯ୍ୟକ୍ରମ ଏବଂ ଲୋକଙ୍କ ସେବା ପାଇଁ ସଂଗଠିତ ହୋଇ ରହନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଲୋଇସିଂହା କଲେଜ, ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ରନେତା ମାନଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନଗର ସଭାପତି ବୁଲୁ ଦାନୀଙ୍କ ଆବାହକତ୍ୱରେ ଆୟୋଜନ ହୋଇଥିବା ଏହି ଭେଟଘାଟ କାର୍ଯ୍ୟକ୍ରମକୁ ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ ସାନନ୍ଦ ମିଶ୍ର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଂଚାସିନ ଥିବା ଓମ୍ ପ୍ରକାଶ କୁମ୍ଭାର, ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ବିଡିସିସି ଅଧ୍ୟକ୍ଷ ସ୍ମାରକ ମିଶ୍ର, କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଅସୀତ ମିଶ୍ର, ଅଜୟ ବାଲି, ଅଜିତ ପାଲ, ଅଶୋକ ନନ୍ଦ, ଅଙ୍କିତ ସାହୁ, ରାଜ କିଶୋର ବାବୁ, ଆଦିବାସୀ ନେତା ମୟ ପ୍ରଧାନୀ, ରାମଜୀ ଚୌଧୁରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଟଙ୍କଧର ଗଡତ୍ୟା, ରାମ ପ୍ରସାଦ ମିଶ୍ର, ଅରବିନ୍ଦ ସାହୁ, ଜ୍ୟେତିଷ ମୁଗ୍ରୀ, ଯୋଗେଶ୍ୱର ସାହୁ, ନାସିର ଖାନ, ନାରୀନେତ୍ରୀ ମୀରା ମଣ୍ଡଳ, ଯଶୋବନ୍ତି ବଘାର, ବବିତା ସାହୁ, ରଂଜିତା ପଟେଲ, ଆରତି ପ୍ରୀତି ନାଗ, ସୁଧା ସିଂହଦେଓ, ସମୀର କୁମ୍ଭାର, ସାଇନା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.