
ଧର୍ମଗଡ଼ : ପାହାଡ଼ରେ ପ୍ରେମୀଯୁଗଳଙ୍କ ମୃତଦେହ । ବନ୍ଧା ହୋଇଥିଲା ହାତଗୋଡ଼, ହତ୍ୟା ସନ୍ଦେହ । ୫ ଦିନ ହେଲା ସେମାନଙ୍କର କୌଣସି ଖୋଜଖବର ମିଳୁ ନଥିଲା । ଡଙ୍ଗରୀ ପାହାଡ଼ ଉପରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ହାତଗୋଡ଼ ବନ୍ଧା ହୋଇଥିବାରୁ ଉଭୟଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡିଜିଲ୍ଲା କୋକସରା ଥାନା ବେହେରା ଭଣ୍ଡାର ଡଙ୍ଗରୀରେ ଏହି ଅଘଟଣ ଦେଖିବାକୁ ମିଳିଛି । ପୁଲିସ ସୂଚନା ଅନୁଯାୟୀ ଟେଣ୍ଡାପାଲି ଗ୍ରାମର ଅଜିତ ନାଏକ ଓ ଧର୍ମଗଡ଼ କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଗତ ୧୭ ତାରିଖ ରାତିରୁ ଉଭୟଙ୍କ ପତ୍ତା ମିଳି ନଥିଲା । ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ପୃଥକ ମାମଲା ରୁଜୁ କରିଥିଲା । ଗୁରୁବାର ସକାଳେ କିଛି ଲୋକ କାଠ ସଂଗ୍ରହ କରିବା ପାଇଁ ଭଣ୍ଡାର ଡଙ୍ଗରୀକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ୨ଟି ମୃତଦେହ ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ମୃତକଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିଥିଲେ । ମୃତକଙ୍କ ଶରୀରରେ ରକ୍ତ ଛିଟାଥିବା ଓ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିଲା । ଏଭଳି ସ୍ଥିତିରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଅଜିତଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି । ଧର୍ମଗଡ଼ ଓ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରାକୋଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖିଛି ।