
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାରମ୍ପରିକ ରୀତିନୀତି, ମନ୍ତ୍ରପାଠ ଓ ବାଦ୍ୟର ତାଳେ ତାଳେ ଐତିହାସିକ ସାଲେଭଟା ଗ୍ରାମରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମା’ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା । ମା’ଙ୍କ ଦର୍ଶନ ପାଇଁ ସାଲେଭଟା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଘଣ୍ଟ, ଶଙ୍ଖ, ପଞ୍ଚବାଦ୍ୟ, ଦୁଲଦୁଲି ଓ ନିଶାନର ଶବ୍ଦରେ ଗାଁର ପରିବେଶ ଭକ୍ତିମୟ ହୋଇଉଠିଥିଲା । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମର ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ପୀଠର ରହିଛି ଏକ ସମୃଦ୍ଧ ଐତିହାସିକ ପରମ୍ପରା । ଲୋକକଥା ଓ ପରମ୍ପରା ଅନୁଯାୟୀ, ପ୍ରାୟ ୧୫୦୦ ଖ୍ରୀଷ୍ଟାବ୍ଦରେ ପାଟଣା ରାଜା ବଳରାମ ଦେଓ ଏହି ଦୁଇ ଦେବୀଙ୍କ ପୂଜାର୍ଚ୍ଚନା ଓ ସ୍ଥାପନା କରିଥିଲେ । ଏହି ପୀଠ ଦୀର୍ଘ ବର୍ଷ ଧରି ଧାର୍ମିକ ଆସ୍ଥା, ମନ୍ତ୍ର ଓ ତନ୍ତ୍ର ସାଧନାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ । ଦଶହରା ଓ ଚୈତ୍ର ପର୍ବ ଅବସରରେ ଏଠାରେ ପାରମ୍ପରିକ ରୀତିନୀତିରେ ବିଭିନ୍ନ ପୂଜାବିଧି ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜା ଅକ୍ଟୋବର ୨୦ ତାରିଖରେ ସମାପନ ହୋଇଥିଲା । ବଏଲ ଯାତ୍ରା ଅବସରରେ ସକାଳୁ ମୁଖ୍ୟ ପୂଜକଙ୍କ ଘରୁ ଛତର ବାହାରି ପଟଆର ସହ ଗ୍ରାମ ପରିକ୍ରମା କରିଥିଲା । ଏହାପରେ ହୋମଯଜ୍ଞ, ଚଣ୍ଡୀପାଠ ଓ ବିଭିନ୍ନ ମନ୍ତ୍ର ସାଧନା ମାଧ୍ୟମରେ ଦେବୀଙ୍କୁ ଆବାହନ କରାଯାଇଥିଲା । ପରେ ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ମନ୍ଦିରରୁ ବାହାରି ଗ୍ରାମର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ମାନସିକଧାରୀ ଭକ୍ତମାନେ ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପାରମ୍ପରିକ ବାଦ୍ୟ, ଭକ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ଉତ୍ସାହ ମଧ୍ୟରେ ସମ୍ପନ୍ନ ହୋଇଥିଲା ଏହି ବଏଲ ଯାତ୍ରା । ମା’ ପାଟଣେଶ୍ୱରୀ ମନ୍ଦିର କମିଟି ସହ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ଧାର୍ମିକ ଉତ୍ସବ ସାଲେଭଟାର ଐତିହ୍ୟ, ପରମ୍ପରା ଓ ଲୋକସଂସ୍କୃତିର ଏକ ଅନନ୍ୟ ପରିଚୟ ପ୍ରଦାନ କରିଛି ।