
ପୁରୀ : ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତା ତଥା ‘ହିରୋ ନମ୍ବର ୱାନ୍’ ଗୋବିନ୍ଦା । କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ପ୍ରବେଶ କରି ସେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିଥିଲେ । ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୌଭାଗ୍ୟ ପାଇ ଗୋବିନ୍ଦା ନିଜକୁ ଧନ୍ୟ ମନେ କରିଥିଲେ । ଦର୍ଶନ ସମୟରେ ସେ ଶ୍ରୀମନ୍ଦିର ଭିତର ପରିକ୍ରମା କରିବା ସହ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିରରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋବିନ୍ଦା କହିଥିଲେ, ବିଜୟା ଦଶମୀ ଭଳି ପବିତ୍ର ଦିନରେ ପ୍ରଭୁଙ୍କ ଦର୍ଶନ ପାଇବା ତାଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ । ସେ ଓଡ଼ିଶା ମାଟିକୁ ପ୍ରଣାମ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି କାମନା କରିଥିଲେ । ସୂଚନାଯୋଗ୍ୟ, ଗୋବିନ୍ଦା ଗତକାଲି ଭୁବନେଶ୍ୱରର ଝାଡ଼ପଡ଼ା ପୂଜା ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ । ସେଠାରେ ନିଜର ଆକର୍ଷଣୀୟ ଉପସ୍ଥିତି ଓ ମନୋରଞ୍ଜନ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ । ଏହାପରେ ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିବା ତାଙ୍କ ଓଡ଼ିଶା ଗସ୍ତକୁ ଆହୁରି ସ୍ମରଣୀୟ କରିଛି ।