jayashree

ଜୟପାଟଣାରେ ବିଜୟା ଦଶମୀରେ ବିରାଟ ଶୋଭାଯାତ୍ରା, ପାଇକ ଆଖଡ଼ାରେ ପ୍ରଦର୍ଶିତ ହେଲା ବୀରତ୍ୱର କଳା

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ବିଜୟା ଦଶମୀ ଅବସରରେ ଜୟପାଟଣାରେ ଦେଖିବାକୁ ମିଳିଥିଲା ବୀରତ୍ୱ, ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମନ୍ୱୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁବ କ୍ଷତ୍ରୀୟ ପାଇକ ସଂଗଠନ, ଜୟପାଟଣା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇ ନଗର ପରିକ୍ରମା କରିଥିଲା । ଅନ୍ୟାୟ ଉପରେ ନ୍ୟାୟ, ମିଥ୍ୟା ଉପରେ ସତ୍ୟ ଏବଂ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ହେଉଛି ବିଜୟା ଦଶମୀ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶ ଓ କ୍ଷତ୍ରୀୟ ପରମ୍ପରାକୁ ପାଥେୟ କରି ପାଇକ ସଂଗଠନର ଯୁବକମାନେ ପ୍ରଥମେ ନିଜ ନିଜ ଅସ୍ତ୍ରଶସ୍ତ୍ରକୁ ପବିତ୍ର ଜଳରେ ପରିଷ୍କାର କରିବା ସହ ସ୍ଥାନୀୟ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଶତାଧିକ ଯୁବକ, ଯୁବତୀ, ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶିବ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରା ବାହାର କରିଥିଲେ । ସ୍ଥାନୀୟ ରାଜପରିବାରର ସଦସ୍ୟମାନଙ୍କୁ ପାଛୋଟି ନେଇ ମା’ କନକ ଦୁର୍ଗା ମନ୍ଦିର, ଦୁର୍ଗା ମନ୍ଦିର, ଡୁକରୀ ମନ୍ଦିର, ମା’ କାଳୀ ମନ୍ଦିର ଓ ପ୍ରଧାନୀପଡ଼ା ଦେଇ ନଗର ପରିକ୍ରମା କରିଥିଲେ । ବୀର ବାଦ୍ୟର ତାଳେ ତାଳେ ଆଗେଇ ଚାଲିଥିବା ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ପାଇକ ଆଖଡ଼ା ଓ ପାରମ୍ପରିକ ସମରକଳା ପ୍ରଦର୍ଶନ କରାଯାଇଥିଲା । ଏହି ଆୟୋଜନରେ ଜୟପାଟଣା ପଲ୍ଲୀ, ବନମାଳୀପୁର ପଲ୍ଲୀ, ପତିଗୁଡ଼ ପଲ୍ଲୀ, ଟେମରି ପଲ୍ଲୀ ଓ ବନ୍ଧଳନା ପଲ୍ଲୀର ଶତାଧିକ ପାଇକ ସମାଜର ସଦସ୍ୟ ଯୋଗଦେଇଥିଲେ । ପାରମ୍ପରିକ ପାଇକ ସଂସ୍କୃତି ଓ ବୀରତ୍ୱର ଗୌରବକୁ ଉଜ୍ଜୀବିତ ରଖିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଏହି ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ଦଳପତି, ବିକାଶ ଦଳପତି, ଚନ୍ଦ୍ର ଧଙ୍ଗଡ଼ାମାଝୀ, ସନ୍ତୋଷ ପୂଝାରୀ, କୃପାସିନ୍ଧୁ ନାୟକ, ପ୍ରଭାତ ପ୍ରଧାନୀ, ପ୍ରଦୀପ ପ୍ରଧାନୀ, ଭବାନୀ ବାହୁକ, ରଞ୍ଜିତ ପୂଝାରୀ, ଶୁଭେନ୍ଦୁ ଦଳପତି, ଆଲୋକ ପ୍ରଧାନୀ, ଘନଶ୍ୟାମ ରାଉତ, ଆଶୁତୋଷ ନାୟକ, ପୁପୁନ ନାୟକ, ଶିଶିର ସାହାଣୀ ଓ ଜିତେନ୍ଦ୍ର ବିଶିଙ୍କ ସମେତ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.