
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ବେନିଆବନ୍ଧ ଗ୍ରାମରେ ଚଳିତ ବର୍ଷ ଅତି ଆଡମ୍ବର ଓ ଶ୍ରଦ୍ଧାର ସହିତ ପବିତ୍ର “ଅଶୋକ ବିଜୟା ଦଶମୀ” ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧିଷ୍ଟ କମିଟି ଏବଂ ନ୍ୟାସନାଲ ଆଣ୍ଡ ଇଣ୍ଟରନ୍ୟାସନାଲ ବୁଦ୍ଧିଷ୍ଟ ସୋସାଇଟିର ମିଳିତ ଆନୁକୂଲ୍ୟରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସୋସାଇଟିର ରାଜ୍ୟ ସଭାପତି ଧୀମାନ ପ୍ରଶାନ୍ତ ବୁଦ୍ଧ ଏବଂ ସମ୍ମାନିତ ଅତିଥି ଭାବେ ନବୀନ ଭୋଇ, ରଜନୀକାନ୍ତ ବୁଦ୍ଧ, ଦୀପ୍ତି ପ୍ରକାଶ ନନ୍ଦ, ଯଶୋବନ୍ତ ବରିହା ଏବଂ ଦିବାକର ସୁନା ପ୍ରମୁଖ ଯୋଗ ଦେଇ ବୌଦ୍ଧ ସଂସ୍କୃତି ଓ ସମ୍ରାଟ ଅଶୋକଙ୍କ ବିଚାରଧାରା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଭଗବାନ ବୁଦ୍ଧ ଓ ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ବକ୍ତିମାନେ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ହୃଦୟ ପରିବର୍ତ୍ତନ ଏବଂ ବୌଦ୍ଧ ଧର୍ମ ଗ୍ରହଣ କରିବାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳ ସମେତ ବରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାରୁ ଶତାଧିକ ବୌଦ୍ଧ ପରିବାର ଯୋଗ ଦେଇ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରସାର କରିଥିଲେ । କସ୍ତୁରୀ ଦୀପ, କନିକା ଦୀପ, ରାକେଶ ଦୀପ, ମୁକେଶ ଦୀପ, ପ୍ରିୟଙ୍କା ଦୀପ, ସ୍ନେହ ଦୀପ, ନେହା ଦୀପ, କରନ ଦୀପ ଏବଂ ଆସାବତୀ ଦୀପ, ଶୁଶାନ୍ତ ବୌଦ୍ଧ ଧର୍ମର ଦୀକ୍ଷା ପ୍ରଦାନ କରିବା ସହ ବୌଦ୍ଧ ନୀତି ଆଚରଣ ପାଇଁ ସଂକଳ୍ପ କରାଇଥିଲେ । ଏହି ଶୁଭ ଅବସରରେ ଏକ ଭବ୍ୟ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ଭଗବାନ ବୁଦ୍ଧ ଅମର ରହେ ଏବଂ ସମ୍ରାଟ ଅଶୋକ ଅମର ରହେ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା ।