
ନୂଆଦିଲ୍ଲୀ : ଦେଶରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏହାରି ମଧ୍ୟରେ ବଦଳିବ ପାଗର ମିଜାଜ । ଭାରତର ୧୭ଟି ରାଜ୍ୟରେ ବର୍ଷା ଓ ଝଡ଼ ପବନ ନେଇ ସତର୍କତା ଜାରି ହୋଇଥିବା ଖବର ମିଳିଛି । କେତେକ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ । ଅନ୍ୟପଟେ, ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଓ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି । ପାଣିପାଗରେ ଏହି ପରିବର୍ତ୍ତନ ପଛରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଏବଂ ତାମିଲନାଡୁର ଉତ୍ତର ଅଞ୍ଚଳରେ ରହିଥିବା ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟକୁ ପ୍ରମୁଖ କାରଣ ବୋଲି କୁହାଯାଉଛି । ପୂର୍ବାନୁମାନ ଅନୁସାରେ, ଓଡ଼ିଶା ସମେତ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ଉତ୍ତରପ୍ରଦେଶ, ଆସାମ, ଜମ୍ମୁ-କଶ୍ମୀର, ବିହାର, ହିମାଚଳପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମରେ ବର୍ଷା ହୋଇପାରେ । ବିଶେଷକରି ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଓ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ପାଗ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି । ତେବେ ରାଜ୍ୟ ଓ ଅଞ୍ଚଳ ଅନୁସାରେ ବର୍ଷାର ପରିମାଣ ଏବଂ ପବନର ତୀବ୍ରତା ଭିନ୍ନ ହୋଇପାରେ । ତେଣୁ ସ୍ଥାନୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ସହ ସତର୍କ ରହିବା ଜରୁରୀ ।