
ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଟଙ୍କା ବିବାଦକୁ ନେଇ ଚାଞ୍ଚଲ୍ୟ । ଦୁଇ ଯୁବତୀଙ୍କୁ ଘରେ ପଶି ଆକ୍ରମଣ କରିବା ପରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଯୁବତୀଙ୍କୁ ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ । ତେବେ ଦିଲ୍ଲୀରେ ଥିବା ଜଣେ ଯୁବକଙ୍କ ସନ୍ଦେହ ଏବଂ ପୁଲିସକୁ ଦିଆଯାଇଥିବା ସୂଚନା ଯୋଗୁଁ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ସୂଚନା ଅନୁସାରେ, ଭୋପାଳର ଗାନ୍ଧୀନଗର ଥାନା ଅଞ୍ଚଳର ଏୟରୋସିଟିରେ ରହୁଥିବା କିଛି ଯୁବକ ଓ ଯୁବତୀ ଏକ ହୋଟେଲରେ କାମ କରୁଥିଲେ । ସେମାନେ ସମସ୍ତେ ଦିଲ୍ଲୀର ବାସିନ୍ଦା ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ପୀଡ଼ିତଙ୍କର ୨ ଲକ୍ଷ ଟଙ୍କାକୁ ନେଇ ବିବାଦ ରହିଥିଲା । ଏହି ବିବାଦରୁ ଅପହରଣ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ନିଜ ସହଯୋଗୀଙ୍କ ସହ ପୀଡ଼ିତଙ୍କ ଘରେ ପଶି ମାଡ଼ପିଟ କରିଥିଲେ । ପରେ ଜୋରଜବରଦସ୍ତ ଗାଡ଼ିରେ ବସାଇ ସେମାନଙ୍କୁ ନେଇଯାଇଥିଲେ । ଗାଡ଼ି ଭିତରେ ମଧ୍ୟ ମାଡ଼ପିଟ କରିବା ସହ ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିବା କୁହାଯାଉଛି । ଏହି ସମୟରେ ଜଣେ ପୀଡ଼ିତ ନିଜର ଜଣେ ପରିଚିତଙ୍କ ସହ ଯୋଗାଯୋଗ କରି ଅଭିଯୁକ୍ତଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲେ । ଦିଲ୍ଲୀରେ ଥିବା ଯୁବକ ଜଣକ ଏହାକୁ ନେଇ ସନ୍ଦେହ କରିବା ସହ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅପହୃତ ଦୁଇ ଯୁବତୀଙ୍କ ସମେତ ମୋଟ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏହି ଘଟଣାରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଅଛି । ଫେରାର ଅଭିଯୁକ୍ତର ତଲାସ ଜାରି ରଖିବା ସହ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।