
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ସୋମବାର ପବିତ୍ର ମହାନବମୀ । ଏହି ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା କରାଯାଉଥିବା ବେଳେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଭକ୍ତିଭାବ ପରିବେଶ ଦେଖିବାକୁ ମିଳିଛି । ସେହିପରି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଂଚାୟତ ସଦର ମହକୁମାରେ ଥିବା ବାବା ପାତାଳେଶ୍ଵରୀ ମନ୍ଦିରଠାରେ ଆଜି ପବିତ୍ର ମହାନବମୀ ଅବସରରେ ପାତାଳେଶ୍ୱରୀ ମନ୍ଦିର ପରିସରରେ ଭକ୍ତି ଓ ଶ୍ରଦ୍ଧାର ସହ ମା’ ଦୁର୍ଗାଙ୍କ ପୂଜା ପାଳିତ ହୋଇଯାଇଛି । ଏହି ମନ୍ଦିରରେ ନୂତନ ଭାବରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ ହୋଇଥିବାରୁ ଗତ ଦୁଇବର୍ଷ ଧରି ମା’ଙ୍କର ପୂଜା ଚାଲିଆସୁଛି । ଏହି ଅବସରରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା’ ଦୁର୍ଗାଙ୍କର ପୂଜା ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା, ଆଳତି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଘଣ୍ଟଧ୍ୱନି, ଶଙ୍ଖଧ୍ୱନି ଓ ମନ୍ତ୍ରପାଠରେ ମନ୍ଦିର ପରିସର ଆଧ୍ୟାତ୍ମିକମୟ ହୋଇଉଠିଥିଲା । ଏହି ପବିତ୍ର ଅବସରରେ ଭକ୍ତମାନେ ମା’ ଦୁର୍ଗାଙ୍କ ଦର୍ଶନ କରି ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ମାଲିଶିରା ପାତାଳେଶ୍ଵରୀ ମନ୍ଦିର ପୂଜକ ଭାବରେ ବିରଞ୍ଚି ମାଝୀ, ନରେନ୍ଦ୍ର ମାଝୀ, ରବିଚନ୍ଦ୍ର ଯାନୀ, ଶିବ ଧରୁଆ, ସୁନାଧର ଧରୁଆ, ଲଳିତ ମାଝୀ, ଡିଲେଶ ଯାନୀ, ନିରଞ୍ଜନ ଭୋଇ ପ୍ରମୁଖ ମା’ ଦୁର୍ଗାଙ୍କର ପୂଜାରେ ସହଯୋଗ କରିଥିଲେ ।