
- ଚଳଚଞ୍ଚଳ ଶକ୍ତି ପୀଠ
ଜୟପାଟଣା, (ଶେଷଦେବ ବେହରା) : ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ୱାରା ପୂଜା ପାଇଁ ସାମଗ୍ରିକ ମହୁଲପାଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ବିଶ୍ଵାସର କେନ୍ଦ୍ରବିନ୍ଦୁ ପାଲଟି ଥିବା ବାଉଁଶ ବଣର ଦେବୀ ମା’ ଡୋକରୀଙ୍କ ମହା ଅଷ୍ଟମୀ ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ ହେବା ସହିତ ସମଗ୍ର ଅଚଳ ଚଳ ଚଞ୍ଚଳ ହୋଇ ଉଠିଛି । ଜୟପାଟଣା ପୂର୍ବରେ ଅବସ୍ଥିତ ଉଦୟଗିରି ପାହାଡର ପାଦଦେଶରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ତାଳଗୁଡ଼ ଗ୍ରାମରେ ମା’ଙ୍କ ମନ୍ଦିର । ଚିରସ୍ରୋତା ଛଞ୍ଚାଣ ଗାଢ଼ ଝରଣା ସାଙ୍ଗକୁ ପାହାଡର ଶୀର୍ଷରେ ରହିଥିବା ଐତିହାସିକ ଠୁଙ୍ଗିଗଡ ଶ୍ରଦ୍ଧାଳୁଙ୍କୁ ଅନେକ ପ୍ରଭାବିତ କରିଥାଏ । ଅନେକ କିମ୍ବଦନ୍ତୀର ଏହି ପ୍ରଭାବଶାଳୀ ପୀଠ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିପଦାରୁ ମସ୍ତକ ରୋପଣ ପରେ ମା’ଙ୍କ ସାର୍ବଜନୀନ ଦର୍ଶନ ଆରମ୍ଭ ହୋଇଥାଏ । ମସ୍ତକରୋପଣ ପରେ ମା’ ଦକ୍ଷିଣ କାଳୀଙ୍କ ଅନୁରୂପ କାନ୍ତିରେ ଦୃଶ୍ୟମାନ ହୋଇଥାନ୍ତି । ମହାଳୟା ମଧ୍ୟରାତ୍ରୀରେ ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରୁ ମାଟି ଆଣି ମା’ଙ୍କ ମସ୍ତକ ରୋପଣ ପରେ ପୂଜନୋତ୍ସବ ଆରମ୍ଭ ହୋଇଥାଏ । ପ୍ରତିପଦାରୁ ମହା ଅଷ୍ଟମୀ ପର୍ଯ୍ୟନ୍ତ ନିୟମିତ ଭାବରେ ବାଳ ଭୋଗ, ଅନ୍ନ ଭୋଗ, ମଧ୍ୟାହ୍ନ ଝାଲେର ଭୋଗ, ରାତ୍ର ଅନ୍ନ ଭୋଗ, ସର୍ବଶେଷରେ ଜକ୍ତି ଭୋଗ ମା’ଙ୍କୁ ଅର୍ପଣ କରାଯାଇଥାଏ । ମାଙ୍କୁ ନିୟମିତ ଭାବରେ ପାଇକ ସମ୍ପ୍ରଦାୟର ପୂଜକମାନେ ପୂଜା କରି ଆସୁଥିବା ବେଳେ ନବରାତ୍ରୀ ସମୟରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ମାଆ ବନ ଦୁର୍ଗା ମନ୍ତ୍ରରେ ପୂଜା ପାଇଥାନ୍ତି । ମହୁଲପାଟ ଜମିଦାରଙ୍କ ପୃଷ୍ଠପୋଷକତାରେ ମନ୍ଦିର ପରିଚାଳିତ ହେଉଥିବା ବେଳେ ରାଣୀ ସୋନମ୍ ସିଂହଦେଓ ଓ ଉତ୍ତରାଧିକାରୀ ରାଜା ରଘୁବୀର ପ୍ରତାପ ସିଂହଦେଓ ଦାୟିତ୍ଵ ନେଉଥିବା ଦେଖିବାକୁ ମିଳୁଛି । ପରିବାରର ବରିଷ୍ଠ ସଦସ୍ୟ ସପ୍ତଞ୍ଜୟ ନାରାୟଣ ସିଂହଦେଓଙ୍କ ଉପସ୍ଥିତି ପରିଚାଳନାରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ଅଷ୍ଟମୀ ସନ୍ଧ୍ୟାରେ ବାନେର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ପଦରେନ୍ଙ୍କ ବିଶାଳ ଲାଠିଯାତ୍ରାରେ ଅଞ୍ଚଳର ସମସ୍ତ ନିମନ୍ତ୍ରଣ ପାଇଥିବା ଦେବୀ ମାନଙ୍କ ଲାଠି ଯାତ୍ରା ସମସ୍ତ ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଦ୍ୱିଗୁଣିତ କରିଥାଏ । ସମସ୍ତ ଲାଠି ମଧ୍ୟରାତ୍ରୀରେ ତାଳଗୁଡ଼ ମନ୍ଦିର ପରିସରରେ ପହଞ୍ଚିବା ପରେ ମା’ଙ୍କ ଅଷ୍ଟମୀ ପୂଜାର ଅନ୍ତିମ ପୂଜାର ଶୁଭାରମ୍ଭ ହୋଇଥାଏ । ମାନସିକଧାରୀଙ୍କ ଅନେକ ଛାଗ ବଳି ପରେ ମହାବଳି (ପୋଢ଼ ବଳି) ଦିଆଯାଇଥାଏ । ମା’ ସମ୍ପୂର୍ଣ୍ଣ ରକ୍ତମୁଖା ହେବାପରେ ଦଶମୀ ତିଥିରୁ ନଅଦିନ ପାଇଁ ମନ୍ଦିର ପରିସରରେ କଣ୍ଟା ବାଡ଼ ପଡ଼ିଥାଏ । ଦଶମୀ ଦିନ ମା’ଙ୍କୁ ଦଧି ଅନ୍ନ ଭୋଗ ପରେ ମସ୍ତକକୁ ବିସର୍ଜନ କରାଯାଇଥାଏ । ଏହି ନଅ ଦିନର ଅଣସର ପରେ ମା’ ପୁଣି ପୂଜା ପାଇଥାନ୍ତି । ମା’ଙ୍କ ଦର୍ଶନ ପାଇଁ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏବେ ଅନେକ ପରିବାର ଅନ୍ନ ପ୍ରାସାଦ ଆବଣ୍ଟନ କରିବା ସହିତ ପାନୀୟ ଜଳର ପର୍ଯ୍ୟଶପ୍ତ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଶୃଙ୍ଖଳା ଦୃଷ୍ଟିରୁ ସ୍ଥାନୀୟ ଯୁବକମାନେ ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସର ସହାୟତାରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଦାୟିତ୍ଵ ବୁଝୁଥିବା ଦେଖିବାକୁ ମିଳୁଛି । ମନ୍ଦିର ଏବେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସରକାରୀ ସହାୟତା ସହିତ ପର୍ଯ୍ୟଟନର ବିକାଶ ପାଇଁ ଦାବୀ ହେଉଛି ।