
- ୭୫ ଫୁଟ ଉଚ୍ଚ ଓ ୬୫ ଫୁଟ ଓସାରର ଆକର୍ଷଣୀୟ ମଣ୍ଡପ, କଲିକତାର କାରିଗରଙ୍କ ହାତରେ ନେଇଛି ଭବ୍ୟ ରୂପ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶାରଦୀୟ ଦୁର୍ଗାପୂଜାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ମା’ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଚାରିଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଉତ୍ସବମୁଖର ପରିବେଶ ମଧ୍ୟରେ ଭବାନୀପାଟଣାର ନକଟିଗୁଡ଼ା ଦୁର୍ଗାପୂଜା ମଣ୍ଡପ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିବର୍ଷ ନିଆରା ଢାଞ୍ଚାରେ ମଣ୍ଡପ ନିର୍ମାଣ କରି ଚର୍ଚ୍ଚାରେ ରହୁଥିବା ଏହି ପୂଜା କମିଟି ଚଳିତ ବର୍ଷ ବୃନ୍ଦାବନର ପ୍ରସିଦ୍ଧ ପ୍ରେମ ମନ୍ଦିର ଶୈଳୀରେ ତିଆରି କରିଛି ଭବ୍ୟ ପୂଜା ମଣ୍ଡପ । ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ଶୈଳୀକୁ ଅନୁକରଣ କରି ନିର୍ମିତ ଏହି ମଣ୍ଡପର ଉଚ୍ଚତା ୭୫ ଫୁଟ ହୋଇଥିବାବେଳେ ଓସାର ରହିଛି ୬୫ ଫୁଟ । କଲିକତାରୁ ଆସିଥିବା କାରିଗରମାନେ ପ୍ରାୟ ଦୁଇ ମାସ ଧରି ଅକ୍ଳାନ୍ତ ପରିଶ୍ରମ କରି ଏହାକୁ ଆକର୍ଷଣୀୟ ରୂପ ଦେଇଛନ୍ତି । ମଣ୍ଡପର ସୁନ୍ଦର କାରୁକାର୍ଯ୍ୟ ଓ ଭବ୍ୟ ରୂପ ଦର୍ଶକଙ୍କୁ ବୃନ୍ଦାବନର ପ୍ରେମ ମନ୍ଦିରର ଅନୁଭୂତି ଦେଉଛି । କେବଳ ମଣ୍ଡପ ନିର୍ମାଣ ନୁହେଁ, ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମଧ୍ୟ ଅଭିଜ୍ଞ କାରିଗର ମାନଙ୍କ ଦ୍ୱାରା ନିଆଯାଇଛି ସ୍ୱତନ୍ତ୍ର ଯତ୍ନ । ମୂର୍ତ୍ତି କାରିଗରଙ୍କ ହାତରେ ମା’ଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବେ ଗଢ଼ାଯାଇଛି । ଏହା ସହିତ ଆଖି ଝଲସାଇ ଦେବା ଭଳି ଆଲୋକ ସାଜସଜ୍ଜା ଓ ଆକର୍ଷଣୀୟ ଧ୍ୱନି ବ୍ୟବସ୍ଥା ପୂଜା ମଣ୍ଡପର ଶୋଭାକୁ ଆହୁରି ବଢ଼ାଇ ଦେଇଛି । ନକଟିଗୁଡ଼ା ଦୁର୍ଗାପୂଜା କମିଟି ପାଇଁ ନିଆରା ମଣ୍ଡପ ନିର୍ମାଣ ଏକ ପରମ୍ପରା ପାଲଟିଛି । ପ୍ରତିବର୍ଷ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଓ ଦର୍ଶନୀୟ ସ୍ଥାନର ଢାଞ୍ଚାରେ ମଣ୍ଡପ ନିର୍ମାଣ କରି ଶ୍ରଦ୍ଧାଳୁଙ୍କୁ ନୂଆ ଅନୁଭୂତି ଦେଇଆସୁଛି । ଚଳିତ ବର୍ଷ ପ୍ରେମ ମନ୍ଦିରର ଆକୃତି ଏହି ପରମ୍ପରାକୁ ଆଉ ଏକ ନୂଆ ପରିଚୟ ଦେଇଛି । ମା’ଙ୍କ ଆରାଧନା, ଭବ୍ୟ ମଣ୍ଡପର ଆକର୍ଷଣ ଓ ଆଲୋକର ଚମକରେ ନକଟିଗୁଡ଼ା ଏବେ ଦୁର୍ଗାପୂଜାର ଉତ୍ସବମୟ ପରିବେଶରେ ଝଲସୁଛି । ଧର୍ମୀୟ ଆସ୍ଥା ସହ କଳା ଓ କାରିଗରୀର ଏହି ଅପୂର୍ବ ସମନ୍ୱୟ ଚଳିତ ବର୍ଷ ଭବାନୀପାଟଣାର ଦୁର୍ଗାପୂଜାକୁ ଏକ ନିଆରା ଆକର୍ଷଣ ପ୍ରଦାନ କରିଛି ।