jayashree

ଚାଷୀର ଦୁଇ ଏକର କପା ଚାଷ ନଷ୍ଟ କଲେ ଦୁର୍ବୃତ୍ତ : ଥାନାରେ ଏତଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀର ପରିଶ୍ରମ ଓ ଆଶା ଉପରେ ଦୁର୍ବୃତ୍ତଙ୍କ କୁଠାରଘାତ । ରାତିର ଅନ୍ଧାରରେ କପା ଗଛ କାଟି ନଷ୍ଟ କରିଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁରେ । ଗାଁର ଚାଷୀ ନବୀନ ଧରୁଆ ପ୍ରାୟ ଦୁଇ ଏକର ଜମିରେ କପା ଚାଷ କରିଥିଲେ । ଗଛଗୁଡ଼ିକ ଭଲ ବଢ଼ିବା ସହ ଫୁଲ ଓ ଫଳ ଧରିଥିଲା । ପ୍ରାୟ ଚାରି ଫୁଟ ଉଚ୍ଚତାର ଗଛଗୁଡ଼ିକରେ ୨୦ରୁ ୩୦ଟି ପର୍ଯ୍ୟନ୍ତ କପା ଫଳ ଧରିଥିବାରୁ ଭଲ ଅମଳ ଆଶାରେ ଥିଲେ ଚାଷୀ । ହେଲେ ତାଙ୍କ ସେହି ଆଶା ଏବେ ଧୂଳିସାତ୍ ହୋଇଯାଇଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ କେହି ଦୁର୍ବୃତ୍ତ ଜମିରେ ପହଞ୍ଚି ଧାରୁଆ ଅସ୍ତ୍ରରେ କପା ଗଛଗୁଡ଼ିକୁ କାଟି ତଳେ ପକାଇ ଦେଇଛନ୍ତି । ଫଳରେ ଚାଷୀଙ୍କର ବ୍ୟାପକ କ୍ଷତି ହୋଇଛି । ଏତେ ପରିଶ୍ରମ କରି ଫସଲ ଅମଳ ସମୟରେ ଏଭଳି ଘଟଣା ଚାଷୀଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଛି । ଅନ୍ୟପଟେ, ଏହି ଘଟଣାକୁ ନେଇ ଚାଷୀ ନବୀନ ଧରୁଆ ପାଟଣାଗଡ଼ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଚାଷୀଙ୍କ ପରିଶ୍ରମରେ ଗଢ଼ି ଉଠିଥିବା ଫସଲକୁ ଏଭଳି ନଷ୍ଟ କରିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏବେ ଚାଷୀଙ୍କୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.