
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଶୁକ୍ରବାର ଉଦଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ମୁରିବାହାଲ ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ ଓ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ସମ୍ମାନିତ ଅତିଥି ଥିଲେ । ମୁରିବାହାଲ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରୁ ଚୟନ ହୋଇ ଆସିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ମୁଖ୍ୟ ବକ୍ତା ଓ ମାଲିଶିରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଜିଲ୍ଳାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଥିଲା । ସୁରଭିରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ମୁରିବାହାଲ ହାଇସ୍କୁଲ ସହକାରୀ ଶିକ୍ଷକ ହେମନ୍ତ ନାଗ ସଭା ପରିଚାଳନା କରିଥିବା ବେଳେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ ଧନ୍ୟବାଦ ଦେଇଥିଲେ ।