jayashree

ଖରାମାଲରେ ବିଶ୍ୱ ଖାଦ୍ୟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଖରାମାଲ ଗ୍ରାମରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ପ୍ରାୟ ୧୨୦୦ ଚାଷୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପଦ୍ମଶ୍ରୀ ହଳଧର ନାଗ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଭାସ ପଣ୍ଡା, ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ସଭ୍ୟ ସୁରେନ୍ଦ୍ର ସିଂ ବରିହା ଏବଂ ରାଇଜ ଏଗେନଷ୍ଟ ହଙ୍ଗର ଇଣ୍ଡିଆର ସୋଭରାଜ ନାଗ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଖାଦ୍ୟ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ଅବଦାନ ପାଇଁ ଧିରେନ ମହାନ୍ତି ଓ ମାୟାଧର ସରାପଙ୍କୁ ‘ଖାଦ୍ୟ ବୀର’ ଏବଂ ପରସଖଣ୍ଡି ଗ୍ରାମର କମଳା ବୀଛିଙ୍କୁ ‘ଖାଦ୍ୟ ବୀରା’ ଭାବେ ସମ୍ମାନିତ କରାଯାଇଥିଲା । ଏଥିସହ ଜାତୀୟ କୃଷି ମିଶନରେ କାର୍ଯ୍ୟରତ ୪୦ ଜଣ କୃଷିମିତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ଖାଦ୍ୟ ଓ ଦେଶୀ ବିହନର ପ୍ରଦର୍ଶନୀ । ବିଭିନ୍ନ ଗ୍ରାମର ୪୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଗ ଟିଖିରି, ମୁଗ ମଣ୍ଡା, ରାହାଡ଼ି ଚାଟ୍‌, ଆରିସା ପିଠା, କରେଲା ଚିପ୍ସ, ମାଣ୍ଡିଆ ପଖାଳ ଓ ମାଣ୍ଡିଆ ଟିଖିରି ଭଳି ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଚାଷୀମାନେ ନିଜ ଉତ୍ପାଦିତ କୃଷିଜାତ ଦ୍ରବ୍ୟ, ଦେଶୀ ବିହନ ଏବଂ ଜଙ୍ଗଲରୁ ମିଳୁଥିବା କନ୍ଦମୂଳ ଓ ଶାଗ ମଧ୍ୟ ପ୍ରଦର୍ଶିତ କରିଥିଲେ । ଖାଦ୍ୟର ବିବିଧତା, ଦେଶୀ ବିହନର ସୁରକ୍ଷା ଓ ପାରମ୍ପରିକ କୃଷି ପଦ୍ଧତିର ପ୍ରଚାର ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମକୁ ବିଭିନ୍ନ ସହଯୋଗୀ ଅନୁଷ୍ଠାନର ସଦସ୍ୟ ଓ ଖରାମାଲ ଗ୍ରାମବାସୀ ସଫଳ କରିଥିଲେ ।

Leave A Reply

Your email address will not be published.