jayashree

ଧର୍ମଗଡ଼ରେ ଗଡ଼ ଜିତିଲା ବିସିଜେଡି, ପଞ୍ଚାୟତ କଲେଜ ନିର୍ବାଚନରେ ବିସିଜେଡିର ବାଜିମାତ

  • ଶାସକ ବିଜେପି ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ଛାତ୍ର ରାଜନୀତିର ଭିନ୍ନ ବାର୍ତ୍ତା, ରାଜନୈତିକ ମହଲରେ ଚର୍ଚ୍ଚା ।

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ବିଜୟ ଏବେ ସ୍ଥାନୀୟ ରାଜନୈତିକ ମହଲରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ରାଜ୍ୟରେ ବିଜେପି ସରକାର ଏବଂ ଧର୍ମଗଡ଼ରେ ବିଜେପି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ପ୍ରତିନିଧିତ୍ୱ ସତ୍ତ୍ୱେ କଲେଜ ଛାତ୍ର ରାଜନୀତିରେ ବିସିଜେଡିର ସଫଳତା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ବିଜୟ କେବଳ ଗୋଟିଏ କଲେଜର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ନା ଏହା ପଛରେ ରହିଛି ସ୍ଥାନୀୟ ନେତୃତ୍ୱର ପ୍ରଭାବ ଏବଂ ସଂଗଠନଗତ ରଣନୀତିର ଭୂମିକା ? ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଧର୍ମଗଡ଼ ପଂଚାୟତ କଲେଜର ସଭାପତି ଭାବେ ବିଜୁ ଛାତ୍ର ଜନତା ଦଳର ଯୁଗେନ୍ଦ୍ର ବଣିଆ, ଉପ ସଭାପତି ଭାବେ ମଣିଷ କୁମାର କର, ସାଧାରଣ ସମ୍ପାଦକ ଭାବେ କଳ୍ପନା ବିହାରୀ, ଯୁଗ୍ମ ସମ୍ପାଦକ ଭାବେ ରୂପେଶ କୁମାର ନାଏକ, ସାଂସ୍କୃତିକ ସମ୍ପାଦକ ଭାବେ କ୍ରିସ ମହାରଣା, କ୍ରୀଡା ସମ୍ପାଦକ ଭାବେ ବିବେକ ନାଏକ ବିଜୟୀ ହୋଇଛନ୍ତି । ଦିବାଧ୍ୟାୟୀ ଛାତ୍ର ପ୍ରତିନିଧି ଭାବେ ଗୋବିନ୍ଦ ସୁନାନୀ ଅପ୍ରତିଦ୍ୱନ୍ଦି ଭାବେ ବିଜୟ ଲାଭ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ସାଧାରଣତଃ କଲେଜର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ନେତୃତ୍ୱ ଓ ସଂଗଠନର ଲୋକପ୍ରିୟତାର ପ୍ରତିଫଳନ ଭାବେ ଦେଖାଯାଏ । କିନ୍ତୁ ଯେତେବେଳେ ଶାସକ ଦଳର ବିଧାୟକଙ୍କ ନିର୍ବାଚନମଣ୍ଡଳୀର ଏକ ପ୍ରମୁଖ କଲେଜରେ ବିରୋଧୀ ଦଳର ଛାତ୍ର ସଂଗଠନ ବାଜିମାତ କରିଛି, ତେଣୁ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଧର୍ମଗଡ଼ ପଞ୍ଚାୟତ କଲେଜରେ ବିସିଜେଡିର ବିଜୟ ବିଜେଡି ଶିବିର ପାଇଁ ଉତ୍ସାହଜନକ ହୋଇଥିବାବେଳେ ବିଜେପି ଶିବିର ପାଇଁ ଆତ୍ମସମୀକ୍ଷାର ଏକ ସୁଯୋଗ ଭାବେ ଦେଖାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଫଳାଫଳ ପଛରେ ଛାତ୍ରନେତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ, ପ୍ରଚାର ଓ ସଂଗଠନର ସକ୍ରିୟତା ଭଳି ଅନେକ କାରଣ ରହିଛି ।
ତେବେ ବିଧାନସଭା ନିର୍ବାଚନ ଓ ଛାତ୍ର ସଂସଦ ନିର୍ବାଚନର ଭୋଟର, ପ୍ରସଙ୍ଗ ଓ ନିର୍ବାଚନୀ ପରିସ୍ଥିତି ଭିନ୍ନ । ତେଣୁ କଲେଜ ନିର୍ବାଚନ ଫଳାଫଳକୁ ନେଇ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଅଙ୍କ କଷିବା ଠିକ୍‌ ନୁହଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.