
ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ଏସ୍ସି-ଏସ୍ଟି ହବ୍, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଫର୍ ଏସ୍ସି, ଏସ୍ଟି ଆଣ୍ଡ୍ ୱିମେନ୍ ଏଣ୍ଟରପ୍ରେନ୍ୟୋର୍ସର ସହଯୋଗରେ ଢେଙ୍କାନାଳ ସ୍ଥିତ କନଫରେନ୍ସ ଆର୍ଟ ଆଣ୍ଡ୍ କ୍ରାଫ୍ଟ ସେଣ୍ଟରଠାରେ ଉଦ୍ୟୋଗୀ ସଚେତନତା ଓ ସ୍ୱତନ୍ତ୍ର ବିକ୍ରେତା ବିକାଶ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଉଦ୍ୟୋଗୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ NSSH, MSME-DFO କଟକ, ସରକାରୀ ଇ-ମାର୍କେଟପ୍ଲେସ୍ (GeM), MCL, NALCO, ଜିଲ୍ଲା ଶିଳ୍ପ କେନ୍ଦ୍ର, ଆର୍ଥିକ ପ୍ରତିଷ୍ଠାନ ଏବଂ ITIର ପ୍ରତିନିଧିମାନେ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଅଧିକାରୀମାନେ ଏସ୍ସି-ଏସ୍ଟି ଉଦ୍ୟୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, GeM ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା, ସରକାରୀ କ୍ରୟରେ ୪% ସଂରକ୍ଷଣ ନୀତି, MCL ଓ NALCO ଭଳି ସରକାରୀ ଉଦ୍ୟୋଗ ସହ ଭେଣ୍ଡର ଭାବେ ଯୋଡ଼ି ହେବାର ସୁଯୋଗ ଏବଂ ବ୍ୟାଙ୍କ ଋଣ ସହାୟତା ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍ସି-ଏସ୍ଟି ଉଦ୍ୟୋଗୀମାନଙ୍କୁ ଆତ୍ମନିର୍ଭର କରିବା ଏବଂ ସେମାନଙ୍କ ଉତ୍ପାଦକୁ ଜାତୀୟ ବଜାର ସହ ଯୋଡ଼ିବାରେ ସହାୟକ ହେବ ବୋଲି ଆୟୋଜକମାନେ କହିଛନ୍ତି ।