
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଅନ୍ତର୍ଗତ ଜାମସେଠ ଗ୍ରାମରେ ଆସନ୍ତା ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହି ଅବସରରେ ହେବାକୁ ଥିବା କଂସ ଦରବାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ କଂସ ମହାରାଜ ଓ ଅନ୍ୟ କଳାକାରଙ୍କୁ ଫୁଲଚନ୍ଦନ ଦେଇ ପାରମ୍ପରିକ ରୀତିରେ ବରଣ କରାଯାଇଛି । ଏହି ବରଣ କାର୍ଯ୍ୟକ୍ରମରେ କଂସ ମହାରାଜ ଭୂମିକାରେ ଅଭିନୟ କରିବାକୁ ଥିବା ଅକ୍ଷୟ କୁମାର ଭୋଇ ଏବଂ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ ଥିବା ସଚ୍ଚିନ ମାଝୀଙ୍କ ସମେତ ଅନ୍ୟ କଳାକାରଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଂସ ଦରବାର ମୁଖ୍ୟ ଆକର୍ଷଣ ସାଜିବ । ପୌରାଣିକ କଥାବସ୍ତୁ ଆଧାରିତ ଅଭିନୟ, କଂସ ମହାରାଜଙ୍କ ଦରବାର ଓ ମହାମନ୍ତ୍ରୀଙ୍କ ଭୂମିକା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି । ଏହି ଆୟୋଜନ ମାଧ୍ୟମରେ ଧାର୍ମିକ ଭାବଧାରା ସହ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ପ୍ରଚାରପ୍ରସାର ହୋଇପାରିବ । କଂସ ବରଣ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ ରାୟଙ୍କ ସମେତ ଆର୍ତ୍ତତ୍ରାଣ ସାହୁ, ଦିଲ୍ଲୀପ ରଣା, ସରୋଜ ପଟ୍ଟନାୟକ, ହେମନ୍ତ ପ୍ରଧାନ, ଶତ୍ରୁଘ୍ନ ସାହୁ, ଅମିୟ ରଣା, ନାରାୟଣ ପ୍ରଧାନ, ନଟବର ପ୍ରଧାନ, ଶିବ ପ୍ରଧାନ, ଅକ୍ଷୟ ପ୍ରଧାନ, ଶରତ ତାଣ୍ଡି, ସନ୍ତୋଷ ପୁଝାରୀ, ନରେଶ ନେଉରା, ରବି ରଣା ଓ ମଦନ ଭୋଇଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।