jayashree

ବଙ୍ଗୋମୁଣ୍ଡାରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ଛାତ୍ରଛାତ୍ରୀଙ୍କ ପ୍ରତିଭା, ସୃଜନଶୀଳତା ଓ ଦକ୍ଷତାର ପରିପ୍ରକାଶ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷାର ପ୍ରସାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମଟି ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା । ପ୍ରଥମ ଅଧିବେଶନରେ ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଦୟବାନ ଛତ୍ରିଆ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ମୁଖ୍ୟବକ୍ତା ଭାବେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ନରୋତ୍ତମ ପଣ୍ଡା, ସମ୍ମାନୀୟ ଅତିଥି ଭାବେ ସିଆରସିସି ଜିତାମିତ୍ର ବିଶି, ପ୍ରଧାନଶିକ୍ଷକ ଅକ୍ଷୟ କୁମାର ତ୍ୟାଗୀ, ପୂର୍ବତନ ଶିକ୍ଷକ ଡ. ନାରାୟଣ ମିଶ୍ର, ଶିକ୍ଷକ ନଳ ଭୋଇ, ହରିରାମ ସତନାମୀ, ଭଜମନ ବିଶ୍ୱାଳ, ଶଶିଭୂଷଣ ଖମାରୀ, ମମତା ମେହେର, ମେନକା ପୁଟେଲ, କୃଷ୍ଣଚନ୍ଦ୍ର ଜେନା, ତିବ୍ରରାଜ ମେହେର, ଯୁଧିଷ୍ଠିର ନାଗ, ସଞ୍ଜୟ ପ୍ରଧାନୀ, ଜିତେନ୍ଦ୍ର ଭଟ୍ରା, ଅନିଲ ଖମାରୀ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆରସିସି ଜିତାମିତ୍ର ବିଶି ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାୟକ, ମୁଖ୍ୟବକ୍ତା ଭାବେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀ, ସମ୍ମାନୀୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସଚନ୍ଦ୍ର ଭୋଇ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ବିନୋଦିନୀ ନାୟକ ଓ ଶିକ୍ଷକ ହରିରାମ ସତନାମୀ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ପ୍ରଦାନ ମାଧ୍ୟମରେ ସେମାନଙ୍କୁ ଉତ୍ସାହିତ କରାଯିବା ସହ ଭବିଷ୍ୟତରେ ଅଧିକ ଉତ୍ତମ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଦିଆଯାଇଥିଲା । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୁସ୍ଥ ପ୍ରତିଯୋଗିତାର ମନୋଭାବ ଓ ସୃଜନଶୀଳତାର ବିକାଶରେ ସହାୟକ ହୋଇଥିଲା ।’ ସୁରଭି’ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରେ ନେତୃତ୍ୱ, ସହଯୋଗ, ସୁସ୍ଥ ପ୍ରତିଯୋଗିତା ଓ ନୂତନ ଚିନ୍ତାଧାରାର ବିକାଶ କରିଥାଏ । ଶିକ୍ଷା କେବଳ ପାଠ୍ୟପୁସ୍ତକରେ ସୀମିତ ନ ରହି ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶର ମାଧ୍ୟମ ହେବା ଉଚିତ ବୋଲି ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଆୟୋଜକ ମଣ୍ଡଳୀ ଓ ସହଯୋଗୀମାନଙ୍କ ଭୂମିକା ଉଲ୍ଲେଖନୀୟ ଥିଲା । ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ଓ ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ‘ସୁରଭି-୨୦୨୬’ ଏକ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଛି ।

Leave A Reply

Your email address will not be published.