
ଭୁବନେଶ୍ୱର : କ୍ୟାମ୍ପସରେ ଜମିଛି ନିର୍ବାଚନୀ ଉତ୍ସାହ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବା ପାଇଁ ମତଦାନ କରୁଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବା ପରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କ୍ୟାମ୍ପସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ପ୍ରାୟ ୩୪୬ଟି ମହାବିଦ୍ୟାଳୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ବିଭିନ୍ନ ପଦବୀ ପାଇଁ ୬୮୦୦ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦ ପାଇଁ ୮୬୬ ଜଣ, ଉପସଭାପତି ପଦ ପାଇଁ ୭୧୬ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୬୧୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିବାକୁ ଗତ କିଛିଦିନ ଧରି ବିଭିନ୍ନ ଛାତ୍ର ସଂଗଠନ ଓ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ଶ୍ରେଣୀଗୃହଠାରୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଭୋଟ୍ ଭିକ୍ଷା କରିଥିଲେ । ପୋଷ୍ଟର ଓ ବ୍ୟାନରରେ କ୍ୟାମ୍ପସଗୁଡ଼ିକ ଭରି ଯାଇଥିବା ବେଳେ ଶୋଭାଯାତ୍ରା ମାଧ୍ୟମରେ ଛାତ୍ର ସଂଗଠନଗୁଡ଼ିକ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଏହା ସହ ବୁଧବାର ଅନୁଷ୍ଠିତ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମରେ ପ୍ରାର୍ଥୀମାନେ ନିଜର ମତ ଓ ଆଗାମୀ ଯୋଜନା ସମ୍ପର୍କରେ ମତ ରଖିଥିଲେ । ନିର୍ବାଚିତ ହେଲେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କ’ଣ କରିବେ, ସେନେଇ ପ୍ରତିଶୃତି ଦେଇଥିଲେ। ଆଜିର ମତଦାନ ପରେ ସ୍ପଷ୍ଟ ହେବ କାହା ସପକ୍ଷରେ ରହିଛି ଛାତ୍ରଛାତ୍ରୀଙ୍କ ଜନମତ। ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ପରେ ଆସନ୍ତା ୧୬ ତାରିଖରେ ବିଜୟୀ ପ୍ରାର୍ଥୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ।