
- ସମସ୍ତ ସମ୍ପ୍ରସାରଣକୁ ବୈଧ କରିବା ପାଇଁ ସିଜିଏମ୍ଙ୍କୁ ବିଧାୟକ ଦୁର୍ଗାଙ୍କ ଚିଠି
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା କେତେକ ବାସଗୃହକୁ ରାଉରକେଲା ଇସ୍ପାତ କାରଖାନା ସହରସେବା ବିଭାଗ ଦ୍ଵାରା ନିର୍ଧାରିତ ଲକ୍ଷାଧିକ ଟଙ୍କା ଜମା କରି ସେବାନିବୃତ କର୍ମଚାରୀ ଏବଂ କେତେକ ବ୍ୟବସାୟୀମାନେ ଲିଜ ଆକାରରେ/୧୧ମାସିଆ/୩୩ମାସିଆ ଲାଇସେନ୍ସ ଆକାରରେ ନେଇଛନ୍ତି । ଲିଜ/ଲାଇସେନ୍ସରେ ନେଇଥିବା ଘର ଗୁଡିକ ମନୁଷ୍ୟ ରହିବା ଉପଯୋଗୀ ନଥିଵା ବେଳେ କେତେକ ଘର ଗୁଡିକ ଲିଜ/ଲାଇସେନ୍ସ ଧାରୀ ପରିବାର ସଦସ୍ୟ ମାନଙ୍କ ରହିବା ପାଇଁ ଯଥେଷ୍ଟ ନଥିବା କାରଣରୁ ନିଜ ପରିବାରର ଆବଶ୍ୟକତା ଅନୁସାରେ ଲିଜ/ଲାଇସେନ୍ସଧାରୀ ବ୍ୟକ୍ତି ଉକ୍ତ ଘରେ କିଛିଟା ସମ୍ପ୍ରସାରଣ କରିଥିଲେ । ତେବେ ଇତିମଧ୍ୟରେ ଉକ୍ତ ସମ୍ପ୍ରସାରଣ ଗୁଡିକୁ ଅବୈଧ ଘୋଷଣା କରି ଭାଙ୍ଗିବା ପାଇଁ ଆର ଏସ ପିର ସହରସେବା ବିଭାଗ ପକ୍ଷରୁ ପ୍ରାୟତଃ ସମସ୍ତ ଲିଜ/ଲାଇସେନ୍ସଧାରୀଙ୍କୁ ନୋଟିସ ଦିଆଯାଇଛି । ନୋଟିସ ପାଇବା ପରେ ଅନେକ ଲିଜ/ଲାଇସେନ୍ସଧାରୀ ବ୍ୟକ୍ତିମାନେ ଆସି ଏ ସମ୍ବନ୍ଧରେ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲିଜଧାରୀ/ଲାଇସେନ୍ସଧାରୀଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକ ଦୁର୍ଗା ସହରସେବା ପ୍ରଶାସନ ବିଭାଗର ମୁଖ୍ୟ ଟି ଜି କାନେତକର ଏବଂ ପି କେ ସାହୁଙ୍କ ସହିତ ଏକ ମିଟିଙ୍ଗ କରି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବିଧାୟକ ଦୁର୍ଗା ତନ୍ତୀ ଗତ ୫୦/୬୦ ବର୍ଷ ତକେ ସେତେବେଳର ଆବଶ୍ୟକତାକୁ ଦେଖି ନିର୍ମାଣ ହୋଇଥିବା ଘର ଗୁଡିକ ବାସ୍ତବରେ ବର୍ତ୍ତମାନ ଲୋକଙ୍କ ଆବଶ୍ୟକତା ଅନୁସାରେ ପୂର୍ଣ୍ଣ ନୁହେଁ । ତେଣୁ ସମସ୍ତେ ନିଜ ନିଜର ପରିବାର ସଦସ୍ୟଙ୍କ ରହିବା ପାଇଁ ସମ୍ପ୍ରସାରଣ କରିବା ସ୍ୱାଭାବିକ । ତେଣୁ ପୂର୍ବରୁ ହୋଇଥିବା ସମସ୍ତ ସମ୍ପ୍ରସାରଣକୁ ବୈଧ ବୋଲି ଧରିନେବା ସହିତ ବର୍ତ୍ତମାନ ଯେଉଁମାନେ ଲିଜ/ଲାଇସେନ୍ସ ଆକାରରେ ନେଉଛନ୍ତି ସେମାନଙ୍କୁ ନିଜ ନିଜ ବାସଗୃହରେ ଆବଶ୍ୟକ ସମ୍ପ୍ରସାରଣ ପାଇଁ ଅନୁମତି ଦେବାପାଇଁ ପରାମର୍ଶ ଦେବା ସହିତ ଏ ସମ୍ବନ୍ଧରେ ଏକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।