jayashree

ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଘୋର ଅବ୍ୟବସ୍ଥା : ହଷ୍ଟେଲ ଛାଡ଼ିଲେ ଛାତ୍ରୀ

  • କଲେଜ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ତାଗିଦ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଘୋର ଅବ୍ୟବସ୍ଥା ଘେରରେ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ । ଏନେଇ ଅଭିଯୋଗ ପାଇବା ପରେ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମହାବିଦ୍ୟାଳୟକୁ ପରିଦର୍ଶନ କରି ଡିଗ୍ରୀ କଲେଜ ହଷ୍ଟେଲ ଇନଚାର୍ଜ ରଞ୍ଜିତା ମିଶ୍ରଙ୍କୁ ତାଗିଦ୍ କରିଥିଲେ ଓ ହଷ୍ଟେଲର ପାଣି ସମସ୍ୟା, ବିପର୍ଯ୍ୟସ୍ତ ସାନିଟେସନ ଓ ନିମ୍ନମାନର ଖାଦ୍ୟପେୟ ଉପରେ ତୁରନ୍ତ ସୁଧାର ଆଣିବା ପାଇଁ କଲେଜ ଅଧ୍ୟକ୍ଷା ଶ୍ରୀମତୀ ରୀତାରାଣୀ ପୂଝାରୀ ଓ ହଷ୍ଟେଲ ଇନ୍‌ଚାର୍ଜଙ୍କୁ କଡା ନିର୍ଦ୍ଦେଶ କରିଥିଲେ । ପ୍ରକାଶ ଥାଉ କି ଯେ, କଲେଜରେ ଦୁଇଦିନ ଧରି ଲାଗି ରହିଥିବା ପାଣି ସମସ୍ୟା ଯୋଗୁଁ ଅନେକ ଛାତ୍ରୀ ପରୀକ୍ଷା ଥିବା ସତ୍ୱେ ହଷ୍ଟେଲ ଛାଡି ପଳାଇଥିବା ଓ ଅନେକ ଛାତ୍ରୀ ଘରମୁହାଁ ହୋଇଥିବା ପ୍ରଶାସନ ପାଖରୁ ସୂଚନା ମିଳିଛି । ଏବଂ ଗତମାସରେ ମଧ୍ୟ ପାଣି ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁଁ ହଷ୍ଟେଲରେ ଅନେକ ଉତ୍ତେଜନା ଦେଖା ଦେଇଥିବା ବିଷୟ ଛାତ୍ରୀଙ୍କ ଠାରୁ ଖବର ମିଳିଛି । ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ସହିତ ସହରର ବୁଦ୍ଧିଜୀବୀ ଗୋବିନ୍ଦ ମହାରଣା ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ଏତାଦୃଶ୍ୟ କାର୍ଯ୍ୟ ଉପରେ କ୍ଷୁବ୍ଧ ହୋଇଥିଲେ । ଆଗକୁ ଛାତ୍ରୀମାନଙ୍କ ଏଭଳି ଅଭିଯୋଗ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ତାଗିଦ୍ କରିଛନ୍ତି ।

Leave A Reply

Your email address will not be published.