
କେସିଙ୍ଗା, (ପ୍ରୀତେଶ ପଟେଲ) : ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନଖଣ୍ଡ ଅଞ୍ଚଳ ଅନ୍ତର୍ଗତ ସିରୋଲ୍ ଗ୍ରାମପଞ୍ଚାୟତର ପୋଢ଼ଖମ୍ ଗାଁର ଅକୁର ହେରନା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅକୁରଙ୍କ ବୟସ ପ୍ରାୟ ୫୦ ବର୍ଷ । ସେ ତାଙ୍କ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗର ଅଧିକାରୀଙ୍କ ପହଞ୍ଚିବା ବିଳମ୍ବ ହେବାରୁ ଅକୁରଙ୍କ ମୃତଦେହକୁ ଆଣିବା ପାଇଁ ଯାଇଥିବା ଆମ୍ବୁଲାନ୍ସକୁ ଗ୍ରାମବାସୀ ଫେରାଇ ଦେଇଥିବା ଜଣାପଡ଼ିଛି । ମୃତ ଅକୁରଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ପରିବାରରେ ସେ ଜଣେ ମାତ୍ର ରୋଜଗାରିଆ ଥିଲେ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ରାତି ପ୍ରାୟ ୧ଟା ସମୟରେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ଜଣାପଡ଼ିଛି । ସରକାରୀ ନିୟମ ଅନୁଯାୟୀ ଯାହା କ୍ଷତି ପୂରଣ ବ୍ୟବସ୍ଥା ରହିଛି ପ୍ରାୟ ୧୦ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।