jayashree

ନାଦ ନିକୁଞ୍ଜ ଆୟୋଜିତ ଓ ଦମୟନ୍ତୀ ଜ୍ୱେଲର୍ସ ସହଯୋଗରେ ଭଏସ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଓଡ଼ିଶା “ନାଦ ଅନ୍ୱେଷଣ” ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନିଦିନ ଧରି “ନାଦନିକୁଞ୍ଜ” ସଙ୍ଗୀତ ଶିକ୍ଷା କେନ୍ଦ୍ର ଦ୍ୱାରା ଆୟୋଜିତ ଓ ଦମୟନ୍ତୀ ଜ୍ୱେଲର୍ସର ସହଯୋଗିତାରେ ଚାଲିଥିବା ସଙ୍ଗୀତ ପ୍ରତଯୋଗିତା “ନାଦ ଅନ୍ୱେଷଣ”…ଦି ଭଏସ୍‌ ଅଫ୍ ୱେଷ୍ଟର୍ଣ୍ଣ ଓଡ଼ିଶାର ସମାପନ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନର ଅତିଥି ବିଶିଷ୍ଠ ଶିକ୍ଷାବିତ୍ ପ୍ରଫେସର ମଧୁସୂଦନ ପତି, ସଙ୍ଗୀତ ସାଧକ ଡ. ଘାସିରାମ ମିଶ୍ର ଓ ଦମୟନ୍ତୀ ଜ୍ୱେଲର୍ସର ସତ୍ଵାଧିକାରୀ ରିଙ୍କୁ ପାତ୍ର ଦ୍ୱୀପ ପ୍ରଜ୍ୱଳନ କରି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ପ୍ରାରମ୍ଭିକ ଚୟନ ପ୍ରକ୍ରିୟାରେ ୧୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୩୩ ଜଣ ପ୍ରତିଯୋଗୀଙ୍କୁ ୟେଲୋ କାର୍ଡ ଦେଇ କ୍ୱାର୍ଟର ଫାଇନାଲ ପାଇଁ ଚୟନ କରାଯାଇଥିଲା । ପ୍ରାରମ୍ଭିକ ଚୟନ ପାଇଁ ବିଶିଷ୍ଠ ବଂଶୀ ବାଦକ ଶତାମନ୍ୟୁ ମିଶ୍ର, କଣ୍ଠଶିଳ୍ପୀ ଜନାର୍ଦ୍ଦନ ମିଶ୍ର, ଗିଟାର ବାଦକ ତନ୍ମୟ ମହାନନ୍ଦ ବିଚାରକ ଭାବେ କାର୍ଯ୍ୟ ତୁଳାଇ ଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ କ୍ୱାର୍ଟର ଫାଇନାଲରେ ୩୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ବ୍ଲୁ କାର୍ଡ ଦେଇ ଚୟନ କରାଯାଇଥିଲା । ସେମି ଫାଇନାଲ ପର୍ଯ୍ୟାୟରୁ ୫ ଜଣଙ୍କୁ ଗ୍ରୀନ କାର୍ଡ ମାଧ୍ୟମରେ ଫାଇନାଲକୁ ଉନ୍ନୀତ କରାଯାଇଥିଲା । କ୍ୱାର୍ଟର ଫାଇନାଲ ତଥା ସେମି ଫାଇନାଲ ପାଇଁ ବରିଷ୍ଠ କଣ୍ଠଶିଳ୍ପୀ ସୁରେନ୍ଦ୍ର ଉଦଗାତା, କଣ୍ଠଶିଳ୍ପୀ ଧନେଶ୍ୱର ଦାଶ, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଜୟ ପ୍ରକାଶ ପୂଜାରୀ, ଗିଟାର ବାଦକ ତନ୍ମୟ ମହାନନ୍ଦ ବିଚାରକ ଭାବେ କାର୍ଯ୍ୟ ତୁଳାଇ ଥିଲେ । ତୃତୀୟ ଦିନ ଫାଇନାଲରେ ପାଞ୍ଚ ଜଣ ପ୍ରତିଯୋଗୀ ସୁବର୍ଣ୍ଣପୁରରୁ ଚନ୍ଦ୍ର ଶେଖର ପାଢ଼ୀ, ବଲାଙ୍ଗିରରୁ ଅଞ୍ଜନ ମିଶ୍ର, ରୋନକ ମହାନ୍ତି ଓ ମାନବ ବର୍ମା, ଟିଟିଲାଗଡରୁ ତୃପ୍ତିମୟୀ ବାଗଙ୍କ ମଧ୍ୟରେ କଡ଼ା ମୁକାବିଲା ପରିଲକ୍ଷିତ ହୋଇଥିଲା । ହିନ୍ଦୀ ସିନେମା, ଓଡ଼ିଆ ସିନେମା ଓ ଆଞ୍ଚଳିକ ଗୀତକୁ ନେଇ ତିନୋଟି ବିଭାଗରେ ବିଭକ୍ତ ହୋଇଥିବା ଏହି ଫାଇନାଲ ପ୍ରତିଯୋଗିତାରେ ରୋନକ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଚନ୍ଦ୍ରଶେଖର ପାଢ଼ୀ ଦ୍ୱିତୀୟ, ଅଞ୍ଜନ ମିଶ୍ର ତୃତୀୟ, ମାନବ ବର୍ମା ଚତୁର୍ଥ ଓ ତୃପ୍ତିମୟୀ ବାଗ ପଞ୍ଚମ ସ୍ଥାନ ହାସଲ କରିଥିଲେ । ଫାଇନାଲ ପର୍ଯ୍ୟାୟରେ ବିଚାରକ ଭାବେ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କଣ୍ଠଶିଳ୍ପୀ ନବ ମହତ୍ତମ, ବରିଷ୍ଠ କଣ୍ଠଶିଳ୍ପୀ ସୁରେନ୍ଦ୍ର ଉଦଗାତା, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଜୟ ପ୍ରକାଶ ପୂଜାରୀ, କଣ୍ଠଶିଳ୍ପୀ ଗଗନ ବାଗ ଓ ଡ. ରେଶ୍ମାରାଣୀ ଦାଶ କାର୍ଯ୍ୟ ତୁଳାଇ ଥିଲେ । ଫାଇନାଲ ଶେଷରେ ଉଦଯାପନୀ ଉତ୍ସବରେ ବିଜେତା ରୋନକ ମହାନ୍ତିଙ୍କୁ ଅତିଥି ତଥା ବିଶିଷ୍ଠ ସଙ୍ଗୀତ ଗୁରୁ ଶୁଭ୍ରାଂଶୁ ଶେଖର ମିଶ୍ର, ଦମୟନ୍ତୀ ଜ୍ୱେଲର୍ସର ସତ୍ଵାଧିକାରୀ ରିଙ୍କୁ ପାତ୍ର ଓ ନାଦନିକୁଞ୍ଜ ଅନୁଷ୍ଠାନର ସଭାପତି ଶଶିଭୂଷଣ ପୁରୋହିତ ମାନପତ୍ର, ଟ୍ରଫି ଓ ୩୧ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସହ ସମ୍ପାଦକ ଡି. ଶଙ୍କର ନାରାୟଣ ମୂର୍ତ୍ତି, ଶ୍ରୀକାନ୍ତ ଦାଶ ଓ ପ୍ରାଣ ପ୍ରକାଶ ଦାସ । ସଭ୍ୟ ପ୍ରଭଞ୍ଜନ ରାୟଗୁରୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଛାତ୍ର ସତ୍ୟ, ଗୋପେସ, ରଞ୍ଜନ, ସହଦେବ, ଦେବପ୍ରିୟ, କୃଷ୍ଣ, ସିପୁନ, ଅମିୟ, ନିହାର ଆଦି କାର୍ଯ୍ୟକ୍ରମକୁ ସଫଳ କରିବାରେ ଆନ୍ତରିକ ସହଯୋଗ କରିଥିଲେ ।

Leave A Reply

Your email address will not be published.