jayashree

ତୁଲଣ୍ଡି ଗାଁ ଗସ୍ତ କଲେ ନରସିଂହ : ବର୍ଷା ଦିନେ ମଧ୍ୟ ସୁଧୁରୁନି ପିଇବା ପାଣି ସମସ୍ୟା

  • ଲୋକଙ୍କ ଦାବୀ ମୁତାବକ ଗାଁରେ ହେଉ ମତଦାନ କେନ୍ଦ୍ର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ମିର୍ଦ୍ଧାପାଲି ପଂଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା ତଥା ସମସ୍ୟା ଶୁଣିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର । ଗାଁର ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ସହ ହେଲା ବିସ୍ତୃତ ଆଲୋଚନା । ଗ୍ରାମବାସୀଙ୍କ ଅନେକ ଦାବି ମଧ୍ୟରୁ ବହୁ ପ୍ରତିକ୍ଷିତ ଦାବି ହେଲା ଯେତେବେଳେ ନିର୍ବାଚନ ସମୟ ଆସେ ଗାଁ ଲୋକ ଭୋଟ ଦେବା ପାଇଁ ୩/୪ କିଲୋମିଟର ଦୂର ମିର୍ଦ୍ଧାପାଲିକୁ ମତଦାନ ଦେବା ପାଇଁ ଯାଆନ୍ତି, ଯାହା ଫଳରେ କି ଅନେକ ଅନେକ ବୃଦ୍ଧବୃଦ୍ଧା ତଥା ରୋଗାକ୍ରାନ୍ତ ଲୋକ ସମ୍ବିଧାନ ଦେଇଥିବା ମତଦାନ ଅଧିକାରରୁ ବଂଚିତ ହୁଅନ୍ତି । ଯଦି ନିଜ ଗାଁରେ ମତଦାନ କେନ୍ଦ୍ର ହୁଅନ୍ତା ସମସ୍ତେ ଅନାୟସରେ ନିଜର ମତ ସାବ୍ୟସ୍ତ କରିପାରନ୍ତେ । ଗାଁର ମଧ୍ୟ ଭାଗରେ ଥିବା ଏକ ପୁରାତନ ମନ୍ଦିର ଯେଉଁଠି କି ପାଣି ସମସ୍ୟା ସବୁବେଳେ ଲାଗି ରହେ । ସେଇଠି ଯଦି ଗୋଟିଏ ନଳକୂପ ଖନନ କରାଗଲେ ଗ୍ରାମବାସୀଙ୍କ ପାଣି ସମସ୍ୟା କିଛିକାଂଶରେ ଦୂର ହୋଇପାରିବ । ଏହା ବ୍ୟତୀତ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏବେ ମଧ୍ୟ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି ଯାହାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ । ଗାଁର ଅନେକ ସମସ୍ୟା ମଧ୍ୟରୁ ପିଇବା ପାଣି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ପିଇବା ପାଣି ଯୋଗାଣର ଲୁଚକାଳି ଖେଳ ଗାଁ ଲୋକଙ୍କୁ ଅତିଷ୍ଟ କରି ସାରିଲାଣି ଅତଏବ ଏହି ସବୁ ଦାବିକୁ ଯଦି ପ୍ରଶାସନ ଅଣଦେଖା କରେ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଲୋକଙ୍କ ସମସ୍ୟା ଶୁଣି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ସମସ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ତାର ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଗାଁର ରାସ୍ତା ଏବେ ଜରାଜୀର୍ଣ୍ଣ ତେଣୁ ଏହାର ପୁନଃନିର୍ମାଣ ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ମିଶ୍ରଙ୍କୁ ଲୋକେ ଅଭିଯୋଗ କରିଥିଲେ । ରାସ୍ତା ନିର୍ମାଣ ଦିଗରେ ମଧ୍ୟ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀ ମିଶ୍ର କହିଥିଲେ । ଆଜିର ଗସ୍ତ ସମୟରେ ଶ୍ରୀ ମିଶ୍ରଙ୍କ ସହ ବେଲାରସେନ ମିଶ୍ର, ନିମାଇଁ ମିଶ୍ର, ହରେକୃଷ୍ଣ ପ୍ରଧାନ, ବିରେନ ହରପାଲ ଓ ରମେଶଙ୍କ ସହ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.