pr

ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ

dr. purohit
  • ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି । ପୂର୍ବରୁ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀର ଆଂଶିକ ସଂଶୋଧନ କରାଯାଇ ଏହି ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ବୌଦ୍ଧ ଜିଲ୍ଲାକୁ ବାଦ ଦେଇ ସମସ୍ତ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ କରାଯାଇ ସାଧାରଣ ଜନତାଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରାଯିବ । ଆପତ୍ତି ଓ ପରାମର୍ଶ ଦାଖଲ କରିବାର ଶେଷ ତାରିଖ ୩ ଅକ୍ଟୋବର ୨୦୨୬ ରହିଛି । ଏହାପରେ, ୭ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରାଯିବ । ଏହି ବିଜ୍ଞପ୍ତି ବିରୋଧରେ ୭ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆପିଲ୍‌ ଦାଖଲ କରାଯାଇପାରିବ । ପ୍ରାପ୍ତ ଆପିଲ୍‌ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲାପାଳମାନେ ନିଜର ସୁପାରିଶ/ମତାମତ ସହ ୨୨ ଅକ୍ଟୋବର ୨୦୨୬ ସୁଦ୍ଧା ସ୍ୱତନ୍ତ୍ର ଦୂତ ମାଧ୍ୟମରେ ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯ୍ୟାଳୟରେ ପହଞ୍ଚାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ ୨୬ ରୁ ୨୮ ଅକ୍ଟୋବର ୨୦୨୬ ମଧ୍ୟରେ ରାଜ୍ୟ ସରକାର, ଅପିଲେଟ୍‌ କର୍ତ୍ତୃପକ୍ଷ ଭାବେ, ଅପିଲ୍‌ଗୁଡ଼ିକର ଶୁଣାଣି କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସମଗ୍ର ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ୩୧ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ । ଚୂଡ଼ାନ୍ତ ବିଜ୍ଞପ୍ତିର ଆବଶ୍ୟକ ସଂଖ୍ୟକ ନକଲ ରାଜ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ସରକାର ଏବଂ ସମ୍ପୃକ୍ତ ପୌରପରିଷଦ/ଏନ୍‌.ଏ.ସି.କୁ ପ୍ରଦାନ କରାଯିବ । ଅନ୍ୟପକ୍ଷରେ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ପ୍ରକ୍ରିୟା ପାଇଁ ମଧ୍ୟ ସଂଶୋଧିତ ସମୟସୀମା ଧାର୍ଯ୍ୟ କରାଯାଇଛି । ୨୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପୃକ୍ତ ମହାନଗର ନିଗମଗୁଡ଼ିକ ପକ୍ଷରୁ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ସୂଚନା ନିର୍ଦ୍ଧାରିତ ଫର୍ମ-୧ ଓ ଫର୍ମ-୨ରେ, ୱାର୍ଡ ସୀମା ଦର୍ଶାଉଥିବା ସ୍କେଚ୍‌ ମାନଚିତ୍ର ଏବଂ ମହାନଗର ନିଗମର ସଂକଳ୍ପ ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ଦାଖଲ କରାଯିବ । ମହାନଗର ନିଗମଗୁଡ଼ିକ କ୍ଷେତ୍ରରେ ୫ ଅକ୍ଟୋବର ୨୦୨୬ରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କରେ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରାଯିବ । ଏ ସମ୍ବନ୍ଧରେ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ୧୪ ଅକ୍ଟୋବର ୨୦୨୬ ରହିଛି । ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମ ଏବଂ ରାଉରକେଲା ମହାନଗର ନିଗମର ମହାନଗର ନିଗମ କମିଶନରମାନଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ଆବଶ୍ୟକ ସୂଚନା ଓ ଦଲିଲ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ସମ୍ପୃକ୍ତ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସୂଚାରୁ ଓ ସମୟୋପଯୋଗୀ ଭାବେ ସମ୍ପନ୍ନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

nrusinghnath
Leave A Reply

Your email address will not be published.