
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରିସରରେ ନୂତନ ପ୍ରଶାସନିକ ଗୃହର ଶୁଭ ଉଦଘାଟନ ହୋଇଛି । କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ କରକମଳରେ ଏହି ନୂତନ ଗୃହର ଉଦଘାଟନ କରାଯାଇଛି । ପ୍ରାୟ ୫୨ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରଶାସନିକ ଗୃହ ନିର୍ମାଣ କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି କେସିଙ୍ଗାକୁ ପୁନର୍ବାର ନିର୍ବାଚନ ମଣ୍ଡଳୀର ମାନ୍ୟତା ଦେବା ପାଇଁ ସାଂସଦଙ୍କ ନିକଟରେ ଦାବି ରଖିଥିଲେ । ସେହିପରି ବିଡିଓ ଜନ୍ମଜୟ ସ୍ୱାଇଁ ନୂତନ ପ୍ରଶାସନିକ ଗୃହର ନିର୍ମାଣ ଓ ଏହାର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ । ନିଜ କାର୍ଯ୍ୟକାଳ ସମୟରେ ଏହି ଗୃହର ଉଦଘାଟନ ହୋଇଥିବାରୁ ସେ ଗର୍ବିତ ବୋଲି କହିଥିଲେ । ଉଦଘାଟନ ଅବସରରେ ସାଂସଦ ମାଳବିକା ଦେବୀ କହିଥିଲେ, ଏହି ନୂତନ ପ୍ରଶାସନିକ ଗୃହ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ନିର୍ମିତ । ଲୋକେ ବ୍ଲକ କାର୍ଯ୍ୟାଳୟକୁ ଆସି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଜଣାଇବା ସହ ସମାଧାନ ପାଇଁ ପ୍ରୟାସ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଏବିଡିଓ ସିଦ୍ଧେଶ୍ୱର ମେହେରଙ୍କ ସମେତ ରୋହିତ ଭୋଇ, ପିଙ୍କୁ ପରିଡ଼ା, ମଣ୍ଟୁ ବର୍ମା, ମଗନ ସିନ୍ଦୁର, ନମିତା ରାଣୀ ସାହୁ, ସରିତା ସିନ୍ଦୁର ଓ କେସିଙ୍ଗା ବ୍ଲକ ବିଜେପିର ତିନି ଜୋନ୍ର ସଭାପତିଙ୍କ ସହ ବ୍ଲକର ବହୁ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

