
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ‘ମାଆ ପାଇଁ ଗଛଟିଏ’ ଆହ୍ୱାନକୁ ନେଇ ବରଗଡ଼ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷର ଗୁରୁତ୍ୱ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଡିଏଫଓ ସରୋଜ କୁମାର ପଣ୍ଡା ଓ ବନାଞ୍ଚଳ ଅଧିକାରୀ ରମେଶ ସାହୁ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଉପରେ ମତ ରଖିଥିଲେ । ବନପାଳ ରାଧାକାନ୍ତ କୁମ୍ଭାର କାର୍ଯ୍ୟକ୍ରମର ତଦାରଖ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ହୋତା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ । ଶେଷରେ ସହକାରୀ ଶିକ୍ଷକ ମନୋହର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

