
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଡିଜିଟାଲ ମାଧ୍ୟମର ଆର୍ଥିକ କାରବାର ବେଳେ ସୁରକ୍ଷିତ ସଦବ୍ୟବହାର ଓ ସାଇବର ଅପରାଧରୁ ସୁରକ୍ଷିତ ରହିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ପତି ମହାବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟ, ସୁରଙ୍ଗିଠାରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର କେର୍କେଟା ଛାତ୍ରଛାତ୍ରୀଙ୍କୁ ସଞ୍ଚୟର ଅଭ୍ୟାସ ଗଢ଼ି ତୋଳିବା ସହ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଓ ଜ୍ଞାନର ସଠିକ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ନିଜକୁ ଜଣେ ଆଦର୍ଶ ନାଗରିକ ଭାବେ ଗଢ଼ି ତୋଳିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁ ନିୟମିତ ସଞ୍ଚୟର ଗୁରୁତ୍ୱ ଏବଂ ଅନଲାଇନ୍ କାରବାର ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସାଇବର ସେଲ୍ର ସହକାରୀ ଆରକ୍ଷୀ ଉପନିରୀକ୍ଷକ କିରଣ କୁମାର ପାତ୍ର ଅଜଣା ଆପ୍ କିମ୍ବା ଫାଇଲ୍ ଡାଉନଲୋଡ୍ ନକରିବା, ଅନଲାଇନ୍ ପ୍ରତାରଣା ଓ ମିଥ୍ୟା ଜରୁରୀକାଳୀନ ଫୋନ୍ କଲ୍ରୁ ସତର୍କ ରହିବା, ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ଏବଂ ମୋବାଇଲ୍ରେ ଡିଜିଟାଲ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପାତ୍ରପୁର ଡାକ ବିଭାଗର ସୁନିଲ କୁମାର ସଞ୍ଚୟ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଆର୍ଥିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ସୁକନ୍ୟା ସମୃଦ୍ଧି ଯୋଜନାର ଉପକାରିତା ବିଷୟରେ ସଚେତନ କରିଥିଲେ । କର୍ମଶାଳାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।