jayashree

କାମିନୀଙ୍କ ଅକାଳ ମୃତ୍ୟୁ ନେଇ ଚାଞ୍ଚଲ୍ୟ, ପ୍ରକୃତ କାରଣ ଅସ୍ପଷ୍ଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ମୃତା ମହିଳା ହେଲେ ଖପ୍ରାଖୋଲ ନିବାସୀ କଣ୍ଠେଶ୍ୱର ବଗର୍ତ୍ତୀଙ୍କ ପତ୍ନୀ କାମିନୀ ବଗର୍ତ୍ତୀ (୪୦) । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାମିନୀ ଘରେ ଥିବା ସମୟରେ ଏକ କୋଠରୀରେ ନିଜକୁ ଅଲଗା କରି ରହିଥିଲେ । ପରେ ତାଙ୍କୁ ଅଚେତନ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ । କାମିନୀଙ୍କ ପରିବାରରେ ସ୍ୱାମୀ, ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି । ଘଟଣା ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ଘରେ ଉପସ୍ଥିତ ଥିବା ଜଣାପଡ଼ିଛି । ହଠାତ୍ ଘଟିଥିବା ଏହି ଘଟଣାରେ ପରିବାର ଲୋକେ ଗଭୀର ଭାବେ ଭାଙ୍ଗିପଡ଼ିଛନ୍ତି । ପଡ଼ୋଶୀମାନଙ୍କ କହିବା ଅନୁଯାୟୀ, କାମିନୀ ଜଣେ ମିଶୁକ ଓ ଭଲ ସ୍ୱଭାବର ମହିଳା ଥିଲେ । ତେଣୁ ଏଭଳି ଏକ ଅପ୍ରତ୍ୟାଶିତ ଘଟଣା କାହିଁକି ଘଟିଲା, ତାହାକୁ ନେଇ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ଖପ୍ରାଖୋଲ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। । ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମସ୍ତ ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.