
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । ଜଙ୍ଗଲ ଭିତରେ ମାଟିତଳେ ଲୁଚାଇ ରଖାଯାଇଥିବା ପ୍ରାୟ ୩୪ ହଜାର ଲିଟର ମହୁଲ ପୋଚ ଠାବ କରିଛି ସ୍ୱତନ୍ତ୍ର ଅବକାରୀ ଟିମ୍ । ସୂଚନା ଅନୁସାରେ, ଜଙ୍ଗଲ ଭିତରେ ଗାତ ଖୋଳି ବିପୁଳ ପରିମାଣର ମହୁଲ ପୋଚ ଗଚ୍ଛିତ ରଖାଯାଇଥିଲା । ଏହି ପୋଚରୁ ଚୋରା ଦେଶୀ ମଦ ପ୍ରସ୍ତୁତ କରିବାକୁ ଯୋଜନା ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଖବର ପାଇ ସ୍ୱତନ୍ତ୍ର ଟିମ୍ ପିଠାଭୁଇଁ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲା । ତେବେ ଟିମ୍ ପହଞ୍ଚିବା ପୂର୍ବରୁ ଚୋରା ମଦ ପ୍ରସ୍ତୁତିରେ ସାମିଲ ଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଜବତ ହୋଇଥିବା ପ୍ରାୟ ୩୪ ହଜାର ଲିଟର ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି । ଚୋରା ମଦ କାରବାର ରୋକିବାକୁ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି ।