jayashree

ପାଇକମାଲରେ ବିଶ୍ୱ ସାକ୍ଷରତା ଦିବସ ପାଳିତ : ନୀରକ୍ଷରଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଆଣିବାକୁ ଗୁରୁତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୀରକ୍ଷରତା ଦୂରୀକରଣ ସହ ଶିକ୍ଷାକୁ ଜୀବନ ଓ ଜୀବିକା ସହ ଯୋଡ଼ିବା ଉପରେ ଗୁରୁତ୍ୱ । ଏହି ଲକ୍ଷ୍ୟ ନେଇ ପଦ୍ମପୁର ଉପଖଣ୍ଡ ପାଇକମାଲରେ ପାଳିତ ହୋଇଛି ବିଶ୍ୱ ସାକ୍ଷରତା ଦିବସ । ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଆୟୋଜିତ ହୋଇଥିଲା ଏହି ସଚେତନତାମୂଳକ କାର୍ଯ୍ୟକ୍ରମ । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଉଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ବିଇଓ ଶୁଭମ୍ କୁମାର ପତିଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା । ୧୫ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷର ବ୍ୟକ୍ତିଙ୍କୁ ଚିହ୍ନଟ କରି ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ରୋଜଗାରର ସୁଯୋଗ ସୃଷ୍ଟି କରି ସ୍ୱାବଲମ୍ବୀ କରିବା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ବିଡିଓ ପ୍ରଫୁଲ୍ଲ କୁମାର ଉଦୁ ସାକ୍ଷରତାର ଗୁରୁତ୍ୱ ବିଷୟରେ ମତ ରଖିଥିଲେ । ନୀରକ୍ଷରତା ଦୂର କରିବା ପାଇଁ ପ୍ରଶାସନ ସହ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଜରୁରୀ ବୋଲି ସେ କହିଥିଲେ । ବିଇଓ ଶୁଭମ୍ କୁମାର ପତି ପିପିଟି ମାଧ୍ୟମରେ ନୀରକ୍ଷରତାର ସ୍ଥିତି, ଏହାର ପ୍ରଭାବ ଏବଂ ନୀରକ୍ଷରତା ହାର କମାଇବାର ବିଭିନ୍ନ ଉପାୟ ସମ୍ପର୍କରେ ବୁଝାଇଥିଲେ । ପାଇକମାଳ ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୧୫ ଜଣ ସିଆର୍‌ସିସି ଏବଂ ୨୨ ଜଣ ପିଆର୍‌ଆଇ ସଦସ୍ୟ ଏଥିରେ ଯୋଗ ଦେଇଥିଲେ । ନିଜ ନିଜ ଅଞ୍ଚଳରେ ନୀରକ୍ଷରଙ୍କୁ ଚିହ୍ନଟ କରି ସାକ୍ଷରତା କାର୍ଯ୍ୟକ୍ରମ ସହ ଯୋଡ଼ିବା ନେଇ ଜନପ୍ରତିନିଧିଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ସିଡିପିଓ ବାସନ୍ତୀ ପୂର୍ତ୍ତି, ବୁକୁରାମୁଣ୍ଡା ସିଏଚସିର ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅତିଥିମାନେ କହିଥିଲେ, ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ଏହା ବ୍ୟକ୍ତିର ଆତ୍ମବିଶ୍ୱାସ, ଦକ୍ଷତା ଓ ସ୍ୱାବଲମ୍ବନର ମାଧ୍ୟମ । ନୀରକ୍ଷରତା ଦୂର ହେଲେ ସମାଜର ସାମଗ୍ରିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ । ଶେଷରେ ଏବିଇଓ ରାଧେଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.