
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ଶ୍ରୀ ଶ୍ରୀ ବଡ଼ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ “ଅନୁଭୂତିରେ ଶ୍ରୀ ଗୋପାଳଜୀ” ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ, ସୋନପୁର ତଥା ସୋନପୁର ଦେବୋତ୍ତର ଅଧିକାରୀ ଡ. ସୌମ୍ୟରୂପା ରଥ । ଶ୍ରୀ ଗୋପାଳଜୀଙ୍କ ବାରଗୋଟି ମୂର୍ତ୍ତିକୁ ସୋନପୁର ଫେରାଇ ଆଣିବା ଉପରେ ଆଧାରିତ ଉପଜିଲ୍ଲାପାଳଙ୍କ ଅନୁଭୂତିରେ ଲିଖିତ ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ ପାଠକ-ପାଠିକାମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ପୁସ୍ତକରେ ଉପଜିଲ୍ଲାପାଳ ସୋନପୁରଙ୍କ ଭୂମିକା ବର୍ଣ୍ଣନା କରାଯାଇଛି । ଦୀର୍ଘ ୪୨ ବର୍ଷ ପରେ ସୋନପୁରର ଗୋପାଳଜୀ ମନ୍ଦିରକୁ ଅଷ୍ଟଧାତୁରେ ନିର୍ମିତ ୧୨ଗୋଟି ପ୍ରତିମୂର୍ତ୍ତି ଫେରାଇ ଆଣିବାରେ ଡ. ରଥ ଏବଂ ପୂର୍ବତନ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ଭୂମିକା ଅତୁଳନୀୟ ଏହା ସହରବାସୀ ବେଶ୍ ହୃଦୟଙ୍ଗମ କରୁଛନ୍ତି । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ଏବଂ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।