
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଡ଼କରେ ସୁରକ୍ଷିତ ଯାତାୟାତ ପାଇଁ ହେଲମେଟ୍ ପିନ୍ଧିବା ନେଇ ଛତ୍ରପୁର ପୋଲିସ ପକ୍ଷରୁ ନିଆରା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ନିୟମ ଭାଙ୍ଗିଥିବା ଚାଳକଙ୍କୁ କେବଳ ତାଗିଦ ନୁହେଁ, ନିୟମ ମାନୁଥିବା ଚାଳକଙ୍କୁ ଗୋଲାପଫୁଲ ଦେଇ ସାଧୁବାଦ ଜଣାଇଛି ପୋଲିସ । ସୋମବାର ଅପରାହ୍ନରେ ଛତ୍ରପୁର ସହରର ଘଣ୍ଟାଘର ଛକରେ ଆମ ପୋଲିସ ସମିତି ଓ ଛତ୍ରପୁର ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଇ ଗୋଲାପ ଫୁଲ ପ୍ରଦାନ କରିଥିଲେ । ଅନ୍ୟପଟେ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କୁ ମଧ୍ୟ ପୋଲିସ ସଚେତନ କରିଥିଲା । ଗାଡ଼ି ଚଳାଇବା ସମୟରେ ନିଜ ସୁରକ୍ଷା ସହ ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ନିୟମିତ ଭାବେ ହେଲମେଟ୍ ପିନ୍ଧିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସଡ଼କ ଦୁର୍ଘଟଣାରେ ଜୀବନହାନି ରୋକିବା ସହ ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ପ୍ରତି ସଚେତନତା ବଢ଼ାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏହି ସଚେତନତା ରାଲିରେ ଏସଡିପିଓ ଚନ୍ଦନ ଘଡ଼େଇଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ସଡ଼କ ସୁରକ୍ଷାର ବାର୍ତ୍ତା ଦେଇଥିଲେ ।