jayashree

ସଇଁତଲାକୁ ଏନ୍‌ଏସି ମାନ୍ୟତା ଦାବିରେ ୭ ଦିନ ହେଲା ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ଦେବା ଦାବିରେ ଜୋରଦାର ହୋଇଛି ଆନ୍ଦୋଳନ । ଦୀର୍ଘ ୭ ଦିନ ହେଲା ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ସମେତ ୱାର୍ଡ ସଭ୍ୟମାନେ ଗଣଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା ଲୋକପ୍ରତିନିଧିଙ୍କ ଦାବି ଅନୁସାରେ, ଏନ୍‌ଏସି ଗଠନ ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ମାନଦଣ୍ଡ ପୂରଣ କରୁଛି ସଇଁତଲା ପଞ୍ଚାୟତ । ଏହା ସତ୍ତ୍ୱେ ଏନ୍‌ଏସି ମାନ୍ୟତା ଘୋଷଣା ନହେବାକୁ ନେଇ ଅସନ୍ତୋଷ ବଢ଼ିଛି । ଧାରଣାକାରୀଙ୍କ କହିବା ଅନୁସାରେ, ପୂର୍ବ ସରକାର ସମୟରେ ସଇଁତଲା ପଞ୍ଚାୟତକୁ ଏନ୍‌ଏସି ଘୋଷଣା ନେଇ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ସରକାର ପରିବର୍ତ୍ତନ ପରେ ଏହି ପ୍ରକ୍ରିୟା ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଛି । ସଇଁତଲାର ବିକାଶ ଓ ସହରାଞ୍ଚଳ ମାନ୍ୟତା ପାଇଁ ସରକାର ତୁରନ୍ତ ଦୃଷ୍ଟି ଦେବା ସହ ଶୀଘ୍ର ଏନଏସି ଘୋଷଣା କରନ୍ତୁ ବୋଲି ସରପଞ୍ଚ ଓ ୱାର୍ଡ ସଭ୍ୟମାନେ ଦାବି କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ୭ ଦିନ ଧରି ଚାଲିଥିବା ଏହି ଗଣଧାରଣା ପରେ ସରକାରଙ୍କ ପକ୍ଷରୁ କେବେ ମିଳିବ ପ୍ରତିକ୍ରିୟା ? ଏବଂ କେବେ ସଇଁତଲା ପଞ୍ଚାୟତକୁ ମିଳିବ ଏନ୍‌ଏସି ମାନ୍ୟତା ? ଏହାକୁ ନେଇ ଏବେ ସଇଁତଲାବାସୀଙ୍କ ନଜର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ।

Leave A Reply

Your email address will not be published.