jayashree

ସୋଲାର ବୋରୱେଲ ଖନନ ନାଁରେ ଠକେଇ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସୋଲାର ବୋରୱେଲ କରାଇ ଦେବାର ପ୍ରତିଶ୍ରୁତି ଦେଇ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଧୀନ ଜାନିପରା ଗ୍ରାମର କବିରାଜ ଖମାରୀ ଲୋଇସିଂହା ଅଞ୍ଚଳର ବିଭିନ୍ନ ଚାଷୀଙ୍କୁ ଚାଷଜମିରେ ସୋଲାର ବୋରୱେଲ ତଥା ପମ୍ପସେଟ୍ ସ୍ଥାପନ କରାଇଦେବା ଏବଂ ଭିଏନଆର ସିଡ୍ସର ସମସ୍ତ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ପ୍ରତି ଚାଷୀଙ୍କ ଠାରୁ ୮ ହଜାର ୫ ଶହ ଟଙ୍କା ଲେଖାଏଁ ସଂଗ୍ରହ କରିଥିଲେ । ତେବେ ପ୍ରତିଶ୍ରୁତି ମୁତାବକ ଟଙ୍କା ଜମା କରିବାର ଦୀର୍ଘଦିନ ପରେ ମଧ୍ୟ ଚାଷୀଙ୍କ ଜମିରେ ସୋଲାର ବୋରୱେଲ ଅଥବା ପମ୍ପସେଟ ସ୍ଥାପନ କରାଯାଇ ନାହିଁ । ଏପଟେ ଶ୍ରୀ ଖମାରୀ ମଧ୍ୟ ଚାଷୀଙ୍କ ଠାରୁ ନେଇଥିବା ଟଙ୍କା ଫେରସ୍ତ କରୁ ନ ଥିବା ବେଳେ ଫୋନ୍ ମଧ୍ୟ ଉଠାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ ଯୋଜନାବଦ୍ଧ ଭାବେ ସ୍ଥାନୀୟ ଚାଷୀଙ୍କୁ ଠକେଇ କରି ଆର୍ଥିକ ଶୋଷଣ କରାଯାଇଥିବା ଅଭିଯୋଗ କରି ଶ୍ରୀ ଖମାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ଶାନ୍ତନୁ ପଧାନ, ମେଘନାଦ ଖମାରୀ, ମହେନ୍ଦ୍ର ରଣା, ମୁକୁନ୍ଦ ପଧାନ, ଅଶୋକ ବେହେରା, ସୁଖିଶ୍ୟାମ ଖମାରୀ, ସୁଦାମ ମେର୍ଲି, ସଞ୍ଜୀବ ବେହେରା, ମନୋରଞ୍ଜନ ଖମାରୀ, ଧିରେନ୍ ପଟେଲ, ସରୋଜ ଦାସ, ଶଙ୍କର ସାହୁ ପ୍ରମୁଖ ଚାଷୀ ଦାବି କରିଛନ୍ତି ।

Leave A Reply

Your email address will not be published.