jayashree

୮୪ ଘର ଅଘରିଆ ସମାଜର ମେଧା ଅନ୍ୱେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ସହ ପ୍ରତିଭାର ବିକାଶ ଲକ୍ଷ୍ୟରେ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଲର୍କିପାଲିସ୍ଥିତ ଆର୍‌ଆର୍‌ କଲୋନୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ସଭାରେ ସମାଜର ଦଶମ ଓ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଭୂଗୋଳ ବିଷୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଟପ୍ପର ହୋଇଥିବା ପ୍ରେମ କୁମାର ରାଉତଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନ୍ୟପଟେ ଭାଲେର, କୁଶଙ୍ଗ, ଭଇଁଷା ଓ ବଲାଙ୍ଗିର ମଣ୍ଡଳରୁ ବୁଦ୍ଧିଜ୍ଞାନ, ରଚନା ଓ ବକ୍ତୃତା ପ୍ରତିଯୋଗିତାରେ ଚୟନ ହୋଇଥିବା ୧୦୨ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପରୀକ୍ଷାରେ ଭାଗ ନେଇଥିଲେ । ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ୨୬ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ଉପସ୍ଥିତ ଥିଲେ । ବଲାଙ୍ଗିର ଆଞ୍ଚଳିକ କମିଟିର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ସଭାରେ ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ବିଇଓ ତଥା ଅଘରିଆ ସମାଜର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ନୀଳମଣି ପଟେଲ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସମାଜର ଶିକ୍ଷା କମିଟି ମୁଖ୍ୟ ରଶ୍ମିରଞ୍ଜନ ସାଏ ମଧ୍ୟ ମଞ୍ଚାସୀନ ଥିଲେ । ଏହି ଅବସରରେ କେନ୍ଦ୍ର କମିଟି, ଉପଦେଷ୍ଟା ମଣ୍ଡଳୀ, ଚାରି ମଣ୍ଡଳର ସଭାପତି ଓ କର୍ମକର୍ତ୍ତା, ୧୮ ଗୁଡ଼ିର ସଭାପତି ଓ କର୍ମକର୍ତ୍ତାଙ୍କ ସମେତ ମହିଳାମଞ୍ଚ, ଯୁବାମଞ୍ଚ, କୃଷକମଞ୍ଚ, ନିର୍ମାଣ କମିଟି ଓ ପୁସ୍ତକ କମିଟିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶିକ୍ଷା କମିଟି ସମ୍ପାଦକ ସୁମନ୍ତ ନାଏକ, ଯୁବାମଞ୍ଚ ସଭାପତି ପ୍ରମୋଦ କୁମାର ପଟେଲ, ଅଫିସ ସମ୍ପାଦକ ସୁରଥ ନାଏକ, ପୁସ୍ତକ କମିଟି ମୁଖ୍ୟ ସନ୍ତୋଷ କୁମାର ରାଉତ ଓ ଭକ୍ତଚରଣ ନାଏକଙ୍କ ସମେତ ଭକ୍ତରାମ ପଟେଲ, ସୁରେନ୍ଦ୍ର ନାଏକ, ମୁକୁନ୍ଦ ପଟେଲ, ଆନନ୍ଦ କୁମାର ପଟେଲ ଓ ସୁବ୍ରତ ନାଏକଙ୍କ ସହ କନ୍ଧପାଲି ଓ ଖୁଣ୍ଟପାଲି ଗ୍ରାମ୍ୟ କମିଟି ସହଯୋଗ କରିଥିଲେ । ଆଞ୍ଚଳିକ କମିଟିର ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ଉପସଭାପତି ଲିଲି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ମେଧାବୀ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଏଭଳି ସମ୍ମାନ ଓ ପ୍ରୋତ୍ସାହନ ଆଗାମୀ ଦିନରେ ସମାଜର ଶିକ୍ଷା କ୍ଷେତ୍ରକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.