
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୂଆଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତି ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର ହୋଇଯାଇଛି । ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ରୁଷୀ ପଞ୍ଚମୀ ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ଘ.୯.୫୦ମି ରୁ ଘ.୧୦.୧୪ ମି ମଧ୍ୟେ ବିଶୁଦ୍ଧ ତୁଳା ଲଗ୍ନ ଭୋଗ ସମୟରେ ନବାନ୍ନ ସମର୍ପଣ ସହ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପଞ୍ଚରା ବାସୀ ନବାନ୍ନ ଭକ୍ଷଣ କରିବେ । ସେହିପରି ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଓ ହନୁମାନ ଙ୍କର ପ୍ରାତଃ ଘ.୮.୪୦ମି ରୁ ଘ.୯.୩୦ ମି ମଧ୍ୟରେ ମା’ ସମଲେଶ୍ଵରୀଙ୍କ ମନ୍ଦିର ଠାରୁ ପାହୁର ଯାତ୍ରା ଅନୁଷ୍ଠିତ ହେବ । ଅଷ୍ଟ ଚଣ୍ଡି, ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ଠାରେ ନବାହ୍ନ ଲାଗି ହେଲା ପରେ ନିଜ ନିଜ ଇଷ୍ଟଦେବୀ ଓ ସାଧାରଣ ଜନତା ନବାହ୍ନ ଭକ୍ଷଣ କରିବେ । ବହୁ ପୂର୍ବରୁ ସୋନପୁର ଗଡ଼ଜାତ ରାଜ୍ୟର ନୂଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସି ଥିବା ବେଳେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଦିନରେ ସୋନପୁରର ବଡ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ବସି ପଣ୍ଡିତମାନେ ଲଗ୍ନ ନିର୍ଘଣ୍ଡ ସ୍ଥିର କରିଥାନ୍ତି । ସୋନପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ନାମ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ତିଥି ଓ ଲଗ୍ନ ନିର୍ଘଣ୍ଟ ଗଣନା କରାଯାଇଥାଏ । ସୋନପୁର ପୌର ପରିଷଦ ପକ୍ଷରୁ ଆହୂତ ଲଗ୍ନ ନିର୍ଦ୍ଧାରଣ ବୈଠକରେ ଜ୍ୟୋତିର୍ବିଦ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଲଗ୍ନ ନିର୍ଦ୍ଧାରଣ କରିଥିବା ବେଳେ ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝି, ପୂର୍ବତନ ପୌରାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ରାମ ଗୋପାଳ ପୂଜାରୀ, ମହେଶ ପୂଜାହାରୀ, ଅଚ୍ୟୁତ ପୂଜାରୀ, ଷଷ୍ଠୀ ବଡମାଳୀ, ଶଶାଙ୍କ ଶେଖର ସିଂଦେଓ, ବୈକୁଣ୍ଠ ଶତପଥୀ, ସୁରେନ୍ଦ୍ର ପଣ୍ଡା, ଲଡୁ କିଶୋର ମଲ୍ଲିକ, ଶେଷଦେବ ମେହେର, ତ୍ରିଲୋଚନ ତରିଆ, କୁନୁ ବେହେରା ପ୍ରମୁଖଙ୍କ ସମେତ ସହରର ବହୁ ଅନେକ ବିଦ୍ୱାନ ଓ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ ।