
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ପକ୍ଷରୁ ସୋନପୁର ମହାବିଦ୍ୟାଳୟ ଠାରେ “ଯୁବ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସୋନପୁର ନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୫ରୁ ୩୫ ବର୍ଷ ମଧ୍ୟରେ ଥିବା ପ୍ରାୟ ୧୨୦ ଜଣ ଯୁବକ ଅଂଶ ଗ୍ରହଣ କରିଥିଲେ । ସକାଳ ୯ ଘଟିକାରେ ଉଦ୍ଘାଟିତ ହୋଇଥିବା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର ଓ ମୁଖ୍ୟବକ୍ତା ଭାବରେ ସମ୍ବଲପୁରର ଆସିଷ୍ଟାଣ୍ଟ ପ୍ରଫେସର ଲୋକେଶ ପଧାନ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଭାଗ ନେଇଥିବା ଯୁବକ ମାନଙ୍କୁ ୧ ଘଣ୍ଟା ସଂଘ ଶାଖାରେ ଯୋଗ ବ୍ୟାୟାମ, ନିୟୁଦ୍ଧ, ସମତା, ଖେଳ ଆଦି ବିଭିନ୍ନ ଶାରୀରିକ କାର୍ଯ୍ୟକ୍ରମର ତାଲିମ ଦିଆଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ କର ଦେଶ ନିର୍ମାଣରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଭୂମିକା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ଲୋକେଶ ପଧାନ ଭାରତର ଗୌରବମୟ ଉଜ୍ୱଳ ପରମ୍ପରା ସଂପର୍କରେ ଉଦବୋଧନ ଦେଇଥିଲେ । ଅଚ୍ୟୁତ ଭାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହ ଜିଲ୍ଲା ସଂଘ ଚାଳକ ଜୟଦ୍ରଥ ଜଗଦଲା ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ଭାରତର ଗୌରବମୟ ଇତିହାସ ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ସଂଘର କାର୍ଯ୍ୟକର୍ତ୍ତା ରାଜେଶ ସିଂଙ୍କ ବ୍ୟବସ୍ଥା ପ୍ରମୁଖ ଦାୟିତ୍ୱ ତୁଳାଇ ଥିବାବେଳେ ସୋନପୁର କଲେଜର ପ୍ରିନସିପାଲ ରାଧାକାନ୍ତ ନାୟକ, ଦୁର୍ଯ୍ୟୋଧନ ସାହୁ, ଆଶିଷ ମଣ୍ଡଳ, ଜଳଦେବ ବରିହା, ରାଜେନ୍ଦ୍ର ନାୟକ, ଆଶିଷ ଅଗ୍ରୱାଲ, ରଶ୍ମିରଞ୍ଜନ ଦାସ, ମନମୋହନ ମିଶ୍ର, ଚିନ୍ମୟ ଭାଇ, ନାରାୟଣ ଭାଇ, ସୌମ୍ୟ ଭାଇ, ସୁମନ ଭାଇ, ସନ୍ତୋଷ ଭାଇ, ରାକେଶ ସିଂ, ନଗର ସଙ୍ଘ ଚାଳକ ଶିବ ପ୍ରସାଦ ପାତ୍ର, ଦୀପକ ମହାପାତ୍ର, ସରୋଜ ବିଶି, ଏବିଭିପି, ବଜରଙ୍ଗଦଳ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ସ୍ୱୟଂସେବକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଭାରତର ଅନେକ ମହାପୁରୁଷ, ସ୍ଵାଧୀନତା ସଂଗ୍ରାମୀ ଓ କ୍ରାନ୍ତିକାରୀ ମାନଙ୍କ ରଙ୍ଗୀନ ଫଟୋ ତଥା ସେମାନଙ୍କର ନୀତିବାଣୀରେ କଲେଜ ପରିସର ଝଲକି ଉଠିଥିଲା । ଉପସ୍ଥିତ ସମସ୍ତ ଯୁବକ ତଥା ସ୍ୱୟଂ ସେବକ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଜୀବନକୁ ଶୃଙ୍ଖଳିତ ଭାବରେ ଗଢିତୋଳିବା ଏବଂ ଦେଶ ଓ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ଯୁବକମାନେ ପ୍ରେରଣା ପାଇଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭ ବନ୍ଦେ ମାତରଂ ଗାନରେ ଏବଂ ଜନଗନମନରେ ସମାପ୍ତ ହୋଇଥିଲା ।