
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ କଳ୍ପନା ମିଶ୍ର ଶ୍ରୀକୃଷ୍ଣଙ୍କ ଜନ୍ମ, ବାଲ୍ୟଲୀଳା, ଗୋପଲୀଳା ବିଷୟରେ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ନନ୍ଦକିଶୋର ମିଶ୍ର ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବକୁ ଅନ୍ତର୍ଯ୍ୟାମୀ ପଣ୍ଡା ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟ ପରିସର କୃଷ୍ଣ ଭାବରେ ଭାବାନ୍ୱିତ ହୋଇ ଉଠିଥିଲା । ଶତାଧିକ ଭାଇ ଭଉଣୀମାନେ ଶ୍ରୀକୃଷ୍ଣ ଓ ଗୋପାଙ୍ଗନା ବେଶରେ ବିଭୁଷିତ ହୋଇ ଉତ୍ସବରେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ଶିଶୁ ବାଟିକା ବିଭାଗରେ ସ୍ୱତନ୍ତ୍ର ଭାବରେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ତତ୍ୱାବଧାନରେ ଓ ଅନ୍ୟ ଗୁରୁମା ମାନଙ୍କ ସହଯୋଗରେ ଜନ୍ମାଷ୍ଟମୀ ଉତ୍ସବ ଆଡମ୍ବର ସହକାରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଘନଶ୍ୟାମ ମିଶ୍ର ଭାଇଭଉଣୀ ମାନଙ୍କୁ କୃଷ୍ଣଙ୍କ କଥା କହି ଉତ୍ସାହିତ କରିଥିଲେ । ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବଡମାଳୀ ଧନ୍ୟବାଦ ଅର୍ପଣ କରିଥିଲେ ।